ଭୁବନେଶ୍ୱର:ଓଡ଼ିଶାରେ ସମବାୟ ସଦସ୍ୟତାକୁ ତୃଣମୂଳ ସ୍ତରରେ ବିସ୍ତାର କରିବା ଲକ୍ଷ୍ୟରେ ଆଜି “ସମ୍ବନ୍ଧ” ମେଗା ସଦସ୍ୟତା ଅଭିଯାନ ଆରମ୍ଭ ହେଉଛି। ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାରରୁ ଅତି କମରେ ଜଣେ ସଦସ୍ୟଙ୍କୁ ସମବାୟ ସହିତ ଯୋଡ଼ିବା ଏହାର ଏକ ପ୍ରମୁଖ ଲକ୍ଷ୍ୟ ବୋଲି କୁହାଯାଉଛି।କିନ୍ତୁ ଏହି ଅଭିଯାନ ସହ କିଛି ସ୍ୱାଭାବିକ ପ୍ରଶ୍ନ ମଧ୍ୟ ଉଠୁଛି।
ପୂର୍ବରୁ ଚାଲିଥିବା “ସମବାୟ ଆପଣଙ୍କ ଦ୍ୱାରରେ” ଅଭିଯାନରେ କେତେ ଲୋକ ସଦସ୍ୟ ହୋଇଥିଲେ?
ସେହି ସଦସ୍ୟତାର ଜିଲ୍ଲାୱାରୀ ଓ ସଂସ୍ଥାୱାରୀ ତଥ୍ୟ କେଉଁଠି?
ସେହି ଅଭିଯାନରେ ସରକାରୀ ଭାବେ କେତେ ଅର୍ଥ ବ୍ୟୟ ହୋଇଥିଲା?
କେଉଁ କାର୍ଯ୍ୟରେ କେତେ ଖର୍ଚ୍ଚ ହୋଇଥିଲା ଏବଂ ତାହାର ଫଳାଫଳ କ’ଣ ହେଲା?
ଏବେ “ସମ୍ବନ୍ଧ” ଅଭିଯାନ ପାଇଁ ମୋଟ କେତେ ଟଙ୍କା ବ୍ୟୟ ହେବ?
ଏହାର ଅର୍ଥ ଉତ୍ସ କ’ଣ ଏବଂ ଖର୍ଚ୍ଚର ମାନଦଣ୍ଡ କ’ଣ?
ଜନସାଧାରଣଙ୍କ ଅର୍ଥରେ ହେଉଥିବା ଯେକୌଣସି ଅଭିଯାନରେ ତଥ୍ୟ ଓ ଖର୍ଚ୍ଚର ପାରଦର୍ଶିତା ରହିବା ଆବଶ୍ୟକ।
ଆଉ ଏକ ବଡ଼ ପ୍ରଶ୍ନ—ଚାଷୀ, ମୁଲିଆ ଓ ଗ୍ରାମୀଣ ଲୋକଙ୍କ ସହ ପ୍ରତ୍ୟକ୍ଷ ଭାବେ ଯୋଡ଼ିତ ସମବାୟ ବ୍ୟାଙ୍କ, PACS ଓ ଅନ୍ୟାନ୍ୟ ସମବାୟ ସଂସ୍ଥା ଥିବାବେଳେ ଏଭଳି ସଦସ୍ୟତା ଅଭିଯାନର ମୁଖ୍ୟ ଭୂମିକା କାହାର ହେବା ଉଚିତ?
ଅଧିକାରୀମାନେ ଭୁବନେଶ୍ୱରରେ ବସି କାର୍ଯ୍ୟକ୍ରମ କରିବା ଠାରୁ ଗାଁକୁ ଯାଇ ସମବାୟ ସଂସ୍ଥାଗୁଡ଼ିକର ବାସ୍ତବ ସ୍ଥିତି, ସଦସ୍ୟଙ୍କ ସମସ୍ୟା ଓ ସମବାୟର କାର୍ଯ୍ୟକାରିତା ଉପରେ ଅଧିକ ଗୁରୁତ୍ୱ ଦେବା ଦରକାର ନୁହେଁ କି?
ସମବାୟ ନିର୍ବାଚନ ଓ ସମବାୟ ପ୍ରଶାସନରେ ଅଧିକାରୀମାନଙ୍କ ଭୂମିକା ନେଇ ମଧ୍ୟ ଆଗାମୀ ଦିନରେ ସ୍ପଷ୍ଟ ଆଇନଗତ ସୀମା ଓ ନିୟମ ନେଇ ଆଲୋଚନା ଆବଶ୍ୟକ।ଏଠାରେ ପ୍ରଶ୍ନ କୌଣସି ସରକାର କିମ୍ବା ଦଳକୁ ନେଇ ନୁହେଁ। ପ୍ରଶ୍ନ ହେଉଛି—ସମବାୟ ଆନ୍ଦୋଳନରେ ଜନସାଧାରଣଙ୍କ ଅର୍ଥ, ସଦସ୍ୟତା ଓ ତଥ୍ୟ କେତେ ପାରଦର୍ଶୀ?
“ସମ୍ବନ୍ଧ”ର ଲକ୍ଷ୍ୟ ଯଦି ପ୍ରକୃତରେ ଘରେ ଘରେ ସମବାୟକୁ ପହଞ୍ଚାଇବା, ତେବେ ପୁରୁଣା ଅଭିଯାନର ଫଳାଫଳ ଓ ନୂଆ ଅଭିଯାନର ଲକ୍ଷ୍ୟକୁ ସାମ୍ନାସାମ୍ନି ରଖି ମୂଲ୍ୟାୟନ କରାଯିବା ଦରକାର।“ସମବାୟ ଆପଣଙ୍କ ଦ୍ୱାରରେ” ଠାରୁ “ସମ୍ବନ୍ଧ” ପର୍ଯ୍ୟନ୍ତ—ନାଁ ବଦଳିପାରେ, ଅଭିଯାନ ବଦଳିପାରେ; କିନ୍ତୁ ଜନତାର ପ୍ରଶ୍ନ ସମାନ:
କାମ କ’ଣ ହେଲା?
ଖର୍ଚ୍ଚ କେତେ ହେଲା?
ଫଳାଫଳ କ’ଣ ମିଳିଲା?
ରାଜନୈତିକ ପରିବର୍ତ୍ତନ ହୋଇଛି—ପୂର୍ବତନ ସରକାରରୁ ବର୍ତ୍ତମାନ ସରକାର। କିନ୍ତୁ ସମବାୟ ଆନ୍ଦୋଳନର ସଫଳତାର ମାପଦଣ୍ଡ ଦଳ ରାଜନୀତିକ ନୁହେଁ।
