ଖୋର୍ଦ୍ଧା:ସ୍ଥାନୀୟ ଜୟୀ ରାଜଗୁରୁ ଟାଉନ୍ ହଲ୍ଠାରେ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କର ୧୧୦ତମ ବାର୍ଷିକ ସାଧାରଣ ସଭା ବ୍ୟାଙ୍କର ସଭାପତି ଶ୍ରୀ ଅଭିଷେକ ସିଂହ ସାମନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି।ସଭା କାର୍ଯ୍ୟ ଆରମ୍ଭ ପୂର୍ବରୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତିମୂର୍ତ୍ତିରେ ପ୍ରଦୀପ ପ୍ରଜ୍ଜ୍ୱଳନ କରାଯାଇଥିଲା। ପରେ ବ୍ୟାଙ୍କର ପ୍ରତିଷ୍ଠାତା ସ୍ୱର୍ଗତ ରାୟସାହେବ ସତୀଶ ଚନ୍ଦ୍ର ଚକ୍ରବର୍ତ୍ତୀ ଏବଂ ଓଡ଼ିଶା ସମବାୟ ଆନ୍ଦୋଳନର ପୁରୋଧା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।ଏହାପରେ ‘ବନ୍ଦେ ମାତରମ୍’ ଓ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଥିଲା।ସଭାରେ ଖୋର୍ଦ୍ଧା ସହକାରୀ ନିବନ୍ଧକ, ସମବାୟ ସମିତି ସମୂହ ଶ୍ରୀ ଭାଗମତ ମାରାଣ୍ଡି ଯୋଗଦେଇ ସମିତି କର୍ମଚାରୀମାନଙ୍କ ସହଯୋଗରେ ସମବାୟ ଆନ୍ଦୋଳନକୁ ଆହୁରି ମଜବୁତ କରିବା ସହ ରାଜ୍ୟ ସରକାରଙ୍କ ‘ସମ୍ବନ୍ଧ’ କାର୍ଯ୍ୟକ୍ରମ ମାଧ୍ୟମରେ ସମିତି ସ୍ତରରେ ସଭ୍ୟ ସଂଗ୍ରହ ଅଭିଯାନକୁ ଗତିଶୀଳ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।ବ୍ୟାଙ୍କର ସଭାପତି ଶ୍ରୀ ଅଭିଷେକ ସିଂହ ସାମନ୍ତ ବ୍ୟାଙ୍କରେ ହୋଇଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ବିବରଣୀ ଉପସ୍ଥାପନ କରିବା ସହ ପରିଚାଳନା ପରିଷଦର ନିଷ୍ପତ୍ତି ଅନୁଯାୟୀ ଗତ ୫ ବର୍ଷ ମଧ୍ୟରେ ବ୍ୟାଙ୍କର ବ୍ୟବସାୟରେ ହୋଇଥିବା ଦ୍ରୁତ ଅଭିବୃଦ୍ଧିର ତୁଳନାତ୍ମକ ଚିତ୍ର ଉପସ୍ଥାପନ କରିଥିଲେ।ସମସ୍ତ ଅଂଶୀଦାର, ସମିତି ଓ କର୍ମଚାରୀଙ୍କ ସହଯୋଗରେ ବ୍ୟାଙ୍କ ଆଗକୁ ଆହୁରି ଅଗ୍ରସର ହେବ ବୋଲି ଶ୍ରୀ ସିଂହ ସାମନ୍ତ କହିଥିଲେ। ଏଥିସହ ବାକି ରହିଥିବା ବିଭିନ୍ନ କାର୍ଯ୍ୟକୁ ଖୁବ୍ଶୀଘ୍ର ସମାପ୍ତ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଥିଲେ।ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସାରଥୀ ଶତପଥୀ ୨୦୨୫-୨୬ ଆର୍ଥିକ ବର୍ଷର ବାର୍ଷିକ ବିବରଣୀ ପାଠ କରିଥିଲେ। ବ୍ୟାଙ୍କର ଏଜିଏମ୍ ଶ୍ରୀ ସନ୍ଦୀପ ପଟ୍ଟନାୟକ ବ୍ୟାଙ୍କର ଅଗ୍ରଗତି ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।ବାର୍ଷିକ ସାଧାରଣ ସଭାରେ ବ୍ୟାଙ୍କ ସହ ଅନୁବନ୍ଧିତ ବିଭିନ୍ନ ସମବାୟ ସମିତିର ସଭାପତି, ପ୍ରତିନିଧି ଓ ସମ୍ପାଦକମାନେ ଯୋଗଦେଇଥିଲେ। ଏହି ଅବସରରେ ନିର୍ଦ୍ଦେଶକ ଶ୍ରୀ ସୁଧାଂଶୁ ଶେଖର ବଡ଼ଜେନା, ଶ୍ରୀ ପ୍ରକାଶ ରାଉତରାୟ ଓ ଶ୍ରୀ ବିପିନ ବିହାରୀ ପାତ୍ର ନିଜର ସୁଚିନ୍ତିତ ମତାମତ ରଖିଥିଲେ।ଶ୍ରୀ ଜ୍ୟୋତିରଞ୍ଜନ ରାଉତରାୟ ସଭା ପରିଚାଳନା କରିଥିଲେ ବୋଲି ଜଣା ପଡ଼ିଛି l
