ଭୁବନେଶ୍ୱର: ଛାତ୍ର ସଂସଦ ନିର୍ବାଚନ ହେବା ନେଇ ତାରିଖ ଘୋଷଣା ପରେ ରାଜ୍ୟର ପ୍ରାୟ ସମସ୍ତ କଲେଜ ଏବଂ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ଚଳଚଞ୍ଚଳ ହୋଇଉଠିଛି । ସେପଟେ କ୍ୟାମ୍ପସରେ ଛାତ୍ର ଅଶାନ୍ତି, ବିଶୃଙ୍ଖଳା ସୃଷ୍ଟି ହୋଇଥିଲେ କର୍ତ୍ତୃପକ୍ଷ ଚାହିଁଲେ ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ କରିବେ ନାହିଁ । ନିର୍ବାଚନରେ ସହଯୋଗ କରିବା ପାଇଁ ଜିଲ୍ଲାପାଳ ଓ ଏସ୍ପି ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ । ସମସ୍ତ ଜିଲ୍ଲା ମାନଙ୍କରେ ଥିବା ଉଚ୍ଚ ଶିକ୍ଷାନୁଷ୍ଠାନ ମାନଙ୍କରେ ଯେପରି ଶାନ୍ତି ଓ ଶୃଙ୍ଖଳାର ସହ ନିର୍ବାଚନ ସୁପରିଚାଳିତ ହେବ ତାହାକୁ ସୁନିଶ୍ଚିତ କରିବା ପାଇଁ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସମସ୍ତ ଜିଲ୍ଲାପାଳ ଓ ଏସ୍ପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିଶୃଙ୍ଖଳା ବା ହିଂସା ପରିସ୍ଥିତି ଉପୁଜିଲେ ଲିଙ୍ଗଡ଼ୋ କମିଶନ ନିୟମାବଳୀ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି । ଛାତ୍ର ସଂସଦ ନିର୍ବାଚନ ସମୟରେ ଅଣଛାତ୍ର ମାନଙ୍କର ଶିକ୍ଷାନୁଷ୍ଠାନ କ୍ୟାମ୍ପସ୍ ମଧ୍ୟରେ ପ୍ରବେଶ ଓ ଅଯଥା ହସ୍ତକ୍ଷେପ ଏବଂ ବିଶୃଙ୍ଖଳା ସୃଷ୍ଟିକୁ ନିଷେଧ କରାଯାଇଛି । ଏହା ଉପରେ ମଧ୍ୟ ନଜର ରଖିବାକୁ ମୁଖ୍ୟ ଶାସନ ସଚିବ ସମସ୍ତ ଜିଲ୍ଲାପାଳ ଓ ଏସ୍ପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଜିଲ୍ଲାପାଳ, ଏସ୍ପି, ଅତିରିକ୍ତ ଜିଲ୍ଲାପାଳ, ଉପ ଜିଲ୍ଲାପାଳମାନେ ନିଜ ଜିଲ୍ଲାରେ ଥିବା ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନକୁ ପରିଦର୍ଶନ କରିବା ସହ ଛାତ୍ର ସଂସଦ ନିର୍ବାଚନ ଓ ଏହାର ପରିଚାଳନା ସମ୍ବନ୍ଧରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ ଏବଂ ଛାତ୍ରଛାତ୍ରୀମାନଙ୍କ ସହ ଆଲୋଚନା କରିବେ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଉଚ୍ଚଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଅରବିନ୍ଦ ଅଗ୍ରୱାଲ ନିର୍ବାଚନ ସମୟରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟମାନଙ୍କରେ ଲିଙ୍ଗଡ଼ୋ କମିଶନ ରିପୋର୍ଟ ଓ ଉଚ୍ଚଶିକ୍ଷା ବିଭାଗର ନିୟମାବଳୀକୁ ପାଳନ କରାଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନୋମିନେସନ୍ ଫାଇଲିଂ ଠାରୁ ଆରମ୍ଭ କରି ଭୋଟ୍ ଗଣତି ଓ ଫଳାଫଳ ଘୋଷଣା ଓ ନିର୍ବାଚନ ପରବର୍ତ୍ତୀ ସମୟର କଲେଜ ବାତାବରଣକୁ ଅନୁଧ୍ୟାନ କରିବା ସହ ଶାନ୍ତି ଓ ଶୃଙ୍ଖଳା ପରିସ୍ଥିତିକୁ ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ରହିଛି । ଏଥିସହ ପୂର୍ବ ବର୍ଷ ମାନଙ୍କରେ ଅନୁଷ୍ଠିତ ହୋଇଥିବା ଛାତ୍ର ସଂସଦ ନିର୍ବାଚନର ରିପୋର୍ଟ ଅନୁଯାୟୀ ଯେଉଁ ଉଚ୍ଚଶିକ୍ଷାନୁଷ୍ଠାନ ମାନଙ୍କରେ ନିର୍ବାଚନ ସମୟରେ ଛାତ୍ର ଅଶାନ୍ତି ଓ ବିଶୃଙ୍ଖଳା ପରିସ୍ଥିତି ଉପୁଜିଥିଲା ତାହା ଉପରେ ବିଶେଷ ଭାବେ ଧ୍ୟାନ ଦେଇ ଚଳିତ ବର୍ଷ ପ୍ରସ୍ତୁତି କରିବାକୁ ଯୋଜନା ରହିଛି । ସମସ୍ତ ଉଚ୍ଚଶିକ୍ଷାନୁଷ୍ଠାନ ମାନଙ୍କରେ ଛାତ୍ର ସଂସଦ ନିର୍ବାଚନ ଯେପରି ଶାନ୍ତି ଓ ଶୃଙ୍ଖଳାର ସହ ଅନୁଷ୍ଠିତ ହେବ ସେ ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଛି ।
