କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ମାଳପାଟଣା ଗ୍ରାମରେ ଘଟିଛି ଏକ ଅଭାବନୀୟ ଘଟଣା । ପାରିବାରିକ କଳହକୁ କେନ୍ଦ୍ର କରି ଜଣେ ମହିଳା ନିଜ ମଦ୍ୟପ ସ୍ୱାମୀକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୁକ୍ତ ପତ୍ନୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ମୃତକଙ୍କ ନାମ ନିରଞ୍ଜନ ସାହୁ ବୋଲି ଜଣାପଡିଛି। ପୋଲିସର ସୂଚନାନୁସାରେ, ବୁଧବାର ବିଳମ୍ବିତ ରାତିରେ ନିରଞ୍ଜନ ମଦ୍ୟପାନ କରି ଘରକୁ ଫେରିଥିଲେ ଏବଂ ପତ୍ନୀ ମନୋରମାଙ୍କ ସହ ତାଙ୍କର ପ୍ରବଳ ଝଗଡ଼ା ହୋଇଥିଲା। ତେବେ ନିରଞ୍ଜନ ନିଶାସକ୍ତ ଅବସ୍ଥାରେ ଶୋଇଥିବା ବେଳେ ମନୋରମା ତାଙ୍କ ବେକକୁ ମାଡ଼ି ବସି ଶ୍ୱାସରୁଦ୍ଧ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଗୁରୁବାର ସକାଳେ ପଡ଼ୋଶୀମାନେ ନିରଞ୍ଜନଙ୍କ ମୃତଦେହ ଘର ବାହାରେ ପଡ଼ିଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ପଚରାଉଚରା ବେଳେ ମନୋରମା ପୋଲିସକୁ କହିଛନ୍ତି ଯେ, ତାଙ୍କ ସ୍ୱାମୀ ଜଣେ ନିଶାସକ୍ତ ବ୍ୟକ୍ତି ଥିଲେ ଏବଂ ପ୍ରତିଦିନ ମଦ ପିଇ ଆସି ତାଙ୍କୁ ଓ ପିଲାମାନଙ୍କୁ ମାରପିଟ୍ କରୁଥିଲେ। ପରିବାର ଚଳାଇବା ପାଇଁ ମନୋରମା ଏକ ହୋଟେଲରେ ବାସନ ମାଜିବା କାମ କରୁଥିଲେ। ସ୍ୱାମୀଙ୍କର ଏହି କ୍ରମାଗତ ଶାରୀରିକ ଓ ମାନସିକ ନିର୍ଯାତନାକୁ ଆଉ ସହ୍ୟ କରିନପାରି ସେ ଏହି ଚରମ ପଦକ୍ଷେପ ନେଇଥିବା ସ୍ୱୀକାର କରିଛନ୍ତି। ଏହି ହତ୍ୟାକାଣ୍ଡରେ ତାଙ୍କ ପୁଅ ଏବଂ ନାବାଳିକା ଝିଅ ମଧ୍ୟ ସହଯୋଗ କରିଥିବା ସେ ସୂଚନା ଦେଇଛନ୍ତି। ଖବର ପାଇ ଆଳି ପୋଲିସ ଏବଂ ଏକ ସାଇଣ୍ଟିଫିକ୍ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ପୋଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି।
