ଭୁବନେଶ୍ୱର: ଦୀର୍ଘ ବର୍ଷର ବ୍ୟବଧାନ ପରେ ରାଜ୍ୟ ସମବାୟ ୟୁନିଅନ୍ର ଉଦ୍ୟମରେ ବିଭିନ୍ନ ଆପେକ୍ସ ସମବାୟ ଅନୁଷ୍ଠାନର ନବନିର୍ବାଚିତ ସଭାପତି ଓ ନିର୍ଦ୍ଦେଶକମାନଙ୍କୁ ନେଇ “ସମବାୟ ଆଇନ – ତଥ୍ୟ, କାର୍ଯ୍ୟକାରିତା ଓ ବାସ୍ତବତା” ଶୀର୍ଷକ ଏକ ଗୁରୁତ୍ୱପୂର୍ଣ୍ଣ କର୍ମଶାଳା ଆୟୋଜିତ ହୋଇଯାଇଛି। ଏହି କର୍ମଶାଳାରେ ୧୭ଟି ଆପେକ୍ସ ସମବାୟ ଅନୁଷ୍ଠାନର ସଭାପତି ଓ ନିର୍ଦ୍ଦେଶକଙ୍କ ସମେତ ମୋଟ ୫୨ ଜଣ ପ୍ରତିନିଧି ଯୋଗଦେଇଥିଲେ। ପ୍ରାୟ ସମସ୍ତ ଆପେକ୍ସ ଅନୁଷ୍ଠାନର ପ୍ରତିନିଧିଙ୍କ ଯୋଗଦାନ ଏହି କାର୍ଯ୍ୟକ୍ରମକୁ ଆହୁରି ସୁନ୍ଦର କରିଥିଲା।

କାର୍ଯ୍ୟକ୍ରମରେ ସମବାୟ ଆଇନର ବିଭିନ୍ନ ଦିଗ, ଏହାର ବ୍ୟବହାରିକ କାର୍ଯ୍ୟକାରିତା ଏବଂ ସମବାୟ ଅନୁଷ୍ଠାନଗୁଡ଼ିକ ସମ୍ମୁଖୀନ ହେଉଥିବା ସମସ୍ୟା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲାପ୍ରତିନିଧିମାନେ ନିଜ ନିଜର ମତାମତ ଓ ପ୍ରଶ୍ନ ଉପସ୍ଥାପନ କରିଥିବା ବେଳେ ସମବାୟ ବିଭାଗର ଅତିରିକ୍ତ ସଚିବ ଶ୍ରୀ ସଂଗ୍ରାମ କେଶରୀ ରାଉତ ବିଭିନ୍ନ ପ୍ରଶ୍ନର ଉତ୍ତର ସରଳ ଓ ସ୍ପଷ୍ଟ ଭାବରେ ବୁଝାଇଥିଲେ।ରାଜ୍ୟ ସମବାୟ ୟୁନିଅନ୍ର ଅନୁରୋଧକ୍ରମେ ସମବାୟ ବିଭାଗର ଅତିରିକ୍ତ ସଚିବ ଶ୍ରୀ ସଂଗ୍ରାମ କେଶରୀ ରାଉତ, JRCS ଶ୍ରୀ ଲକ୍ଷ୍ମୀଧର ସୁବୁଦ୍ଧି ଏବଂ ପୂର୍ବତନ ଆଇନ ଅଧିକାରୀ ଶ୍ରୀ ଦୁର୍ଗା ମାଧବ ଦାସ ଯୋଗଦେଇ କର୍ମଶାଳାକୁ ସମୃଦ୍ଧ କରିଥିଲେ। ଏହି କର୍ମଶାଳାରେ ସମସ୍ତ ଆପେକ୍ସ ସମବାୟ ଅନୁଷ୍ଠାନକୁ ଗୋଟିଏ ଛାତ ତଳେ ରଖିବା ପାଇଁ ପ୍ରସ୍ତାବ ଉଠିଥିଲା। ଏହାଦ୍ୱାରା ବିଭିନ୍ନ ଅନୁଷ୍ଠାନ ମଧ୍ୟରେ ସମନ୍ୱୟ, ସହଯୋଗ ଓ ଯୋଗାଯୋଗ ବୃଦ୍ଧି ପାଇବା ସହ ସମବାୟ ଆନ୍ଦୋଳନ ଅଧିକ ସୁଦୃଢ଼ ହୋଇପାରିବ ବୋଲି ମତ ପ୍ରକାଶ ପାଇଥିଲା। ଏହି ପ୍ରସ୍ତାବକୁ ସମବାୟ ବିଭାଗ ପକ୍ଷରୁ ଗୁରୁତ୍ୱର ସହ ବିଚାର କରାଯିବ ବୋଲି ଆଶ୍ୱାସନା ଦିଆଯାଇଥିଲା।

ରାଜ୍ୟ ସମବାୟ ୟୁନିଅନ୍ର ସଭାପତି ସୁଶ୍ରୀ ପ୍ରଭାସିନୀ ଷଡ଼ଙ୍ଗୀ ଏହି କର୍ମଶାଳାରେ ଯୋଗଦେଇଥିବା ସମସ୍ତ ଆପେକ୍ସ ସମବାୟ ଅନୁଷ୍ଠାନର ନବନିର୍ବାଚିତ ସଭାପତି, ନିର୍ଦ୍ଦେଶକ ଓ ପ୍ରତିନିଧିମାନଙ୍କୁ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି। ଏଥିସହ କର୍ମଶାଳାରେ ଯୋଗଦେଇ ମୂଲ୍ୟବାନ ମତାମତ ଓ ଆଇନଗତ ମାର୍ଗଦର୍ଶନ ପ୍ରଦାନ କରିଥିବା ସମବାୟ ବିଭାଗର ଅଧିକାରୀ ଓ ବିଶେଷଜ୍ଞମାନଙ୍କୁ ମଧ୍ୟ ସେ କୃତଜ୍ଞତା ଜଣାଇଛନ୍ତି। ସୁଶ୍ରୀ ଷଡ଼ଙ୍ଗୀଙ୍କ ମତରେ, ସମବାୟର ଉନ୍ନତି ପାଇଁ ଆଇନର ଜ୍ଞାନ ସହ ଏହାର ସଠିକ୍ କାର୍ଯ୍ୟକାରିତା, ସ୍ୱଚ୍ଛତା, ସୁଶାସନ ଓ ସମସ୍ତ ଅନୁଷ୍ଠାନ ମଧ୍ୟରେ ସମନ୍ୱୟ ଅତ୍ୟନ୍ତ ଜରୁରୀ। ଆଜିର ଆଲୋଚନା କେବଳ ଏକ ଆଇନର ଧାରା ମଧ୍ୟରେ ସୀମିତ ନୁହେଁ; ଏହା ସମବାୟର ଭବିଷ୍ୟତ, ଏକତା ଓ ସାମୂହିକ ବିକାଶର ଦିଗ ନିର୍ଦ୍ଧାରଣ କରିବାର ଏକ ପ୍ରୟାସ।
