କଟକ: କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ୫୪ତମ ବାର୍ଷିକ ସାଧାରଣ ସଭା ଶାନ୍ତିଶୃଙ୍ଖଳାର ସହ ସମାପିତ ହୋଇଛି। କଟକର ସିଡିଏ ସେକ୍ଟର-୬ ସ୍ଥିତ ୱିଣ୍ଡସର ପ୍ୟାଲେସ୍ଠାରେ ଅନୁଷ୍ଠିତ ଏହି ସଭାରେ ବ୍ୟାଙ୍କର ବାର୍ଷିକ କାର୍ଯ୍ୟକଳାପ, ଆର୍ଥିକ ବିବରଣୀ, ବଜେଟ୍ ଏବଂ ବିଭିନ୍ନ ପ୍ରଶାସନିକ ବିଷୟ ଉପରେ ଆଲୋଚନା ହୋଇଥିଲା। ସଭାରେ ବ୍ୟାଙ୍କର ସଦସ୍ୟ ଓ ଅନୁମୋଦିତ ପ୍ରତିନିଧିମାନେ ଯୋଗଦେଇ ନିର୍ଦ୍ଧାରିତ ଏଜେଣ୍ଡା ଅନୁଯାୟୀ ବିଭିନ୍ନ ବିଷୟରେ ମତବିନିମୟ କରିଥିଲେ। ଏହି ଅବସରରେ ଉପସ୍ଥାପିତ ୮ଟି ପ୍ରସ୍ତାବ ଉପରେ ବିଚାରବିମର୍ଶ ପରେ ସେଗୁଡ଼ିକ ଗୃହୀତ ହୋଇଥିବା ଜଣାପଡ଼ିଛି। ସଭାର ସଫଳ ଆୟୋଜନ ଏବଂ ଶାନ୍ତିଶୃଙ୍ଖଳାର ସହ ଆଲୋଚନା ଓ ନିଷ୍ପତ୍ତି ଗ୍ରହଣରେ ସହଯୋଗ କରିଥିବାରୁ ବ୍ୟାଙ୍କର ସଭାପତି ଶ୍ରୀ ପ୍ରଭାତ କାନୁନଗୋ ସମସ୍ତ ସଦସ୍ୟ, ପ୍ରତିନିଧି ଓ ଉପସ୍ଥିତ ବ୍ୟକ୍ତିବିଶେଷଙ୍କୁ ଧନ୍ୟବାଦ ଜଣାଇବା ସହ କୃତଜ୍ଞତା ପ୍ରକାଶ କରିଥିଲେ। ସମବାୟ ନୀତି ଓ ଗଣତାନ୍ତ୍ରିକ ପରିଚାଳନା ବ୍ୟବସ୍ଥାକୁ ଆଧାର କରି କଟକ କେନ୍ଦ୍ର ସମବାୟ ବ୍ୟାଙ୍କର କାର୍ଯ୍ୟଧାରାକୁ ଅଧିକ ସ୍ୱଚ୍ଛ, ଦାୟିତ୍ୱପୂର୍ଣ୍ଣ ଓ ସୁଦୃଢ଼ କରିବା ସହ ଆର୍ଥିକ ଶୃଙ୍ଖଳା ବଜାୟ ରଖିବା ଦିଗରେ ଏହି ବାର୍ଷିକ ସାଧାରଣ ସଭା ଗୁରୁତ୍ୱ ବହନ କରୁଛି।
