ଭୁବନେଶ୍ୱର:ଭାରତବର୍ଷରେ ସମବାୟ ସପ୍ତାହ ପାଳନର ଏକ ଦୀର୍ଘ ପରମ୍ପରା ରହିଛି। ଜାତୀୟ ସ୍ତରରେ NCUI ଏବଂ ରାଜ୍ୟ ସ୍ତରରେ ରାଜ୍ୟ ସମବାୟ ୟୁନିଅନଗୁଡ଼ିକ ମାଧ୍ୟମରେ ଏହା ପାଳନ କରାଯାଇଥାଏ। Multi-State Cooperative Societies Act, 2002 ଏବଂ ସମ୍ପୃକ୍ତ ନିୟମାବଳୀକୁ ନେଇ ଏହି ବ୍ୟବସ୍ଥାର ଆଇନଗତ ସ୍ଥିତି ସମ୍ପର୍କରେ ଏବେ ପ୍ରଶ୍ନ ଉଠିଛି।ଗତ କିଛି ବର୍ଷର ଘଟଣାକୁ ଦେଖିଲେ, ଓଡ଼ିଶାରେ ସମବାୟ ସପ୍ତାହ ପାଳନକୁ ନେଇ ଏକାଧିକ ପ୍ରଶ୍ନ ସୃଷ୍ଟି ହୋଇଛି। ୨୦୨୩ ମସିହାରେ ରାଜ୍ୟ ସ୍ତରରେ ସମବାୟ ସପ୍ତାହ ପାଳନରେ ହୋଇଥିବା ଖର୍ଚ୍ଚର ସମ୍ପୂର୍ଣ୍ଣ ହିସାବ, ଭାଉଚର ଓ ବିଲ୍ ସମ୍ପର୍କରେ RTI ମାଧ୍ୟମରେ ସ୍ପଷ୍ଟ ତଥ୍ୟ ଦିଆଯାଇଛି କି ନାହିଁ—ତାହା ନେଇ ମଧ୍ୟ ପ୍ରଶ୍ନ ରହିଛି।ରାଜ୍ୟ ସମବାୟ ବିଭାଗ ପକ୍ଷରୁ ୨୦୨୪ ମସିହାରେ ପୁନର୍ବାର ଉତ୍କଳ ମଣ୍ଡପରେ ରାଜ୍ୟସ୍ତରୀୟ ସମବାୟ ସପ୍ତାହ ପାଳନ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ହୋଇଥିବା ଖର୍ଚ୍ଚର ସମ୍ପୂର୍ଣ୍ଣ ବିଲ୍, ଭାଉଚର ଓ ଆର୍ଥିକ ହିସାବ ସାର୍ବଜନୀନ କରାଯାଇଛି କି?ଯଦି ନାହିଁ, ତେବେ ଏହାର ଦାୟିତ୍ୱ କାହାର—ଏହାର ଉତ୍ତର ରାଜ୍ୟ ସମବାୟ ବିଭାଗ ଦେବା ଆବଶ୍ୟକ।ଅନ୍ୟପକ୍ଷରେ, ୨୦୨୫ ମସିହାରେ ରାଜ୍ୟ ସମବାୟ ବିଭାଗ ଆଇନ ଓ ନିୟମକୁ ଅନୁଧ୍ୟାନ କରି ପୁନର୍ବାର ସମବାୟ ୟୁନିଅନ ମାଧ୍ୟମରେ ସମବାୟ ସପ୍ତାହ ପାଳନ ଦିଗକୁ ଫେରିଥିଲା ବୋଲି ଚର୍ଚ୍ଚା ହୋଇଥିଲା l
ତେବେ ୨୦୨୬ରେ ହଠାତ୍ ପରିବର୍ତ୍ତନ କାହିଁକି?
ଚଳିତ ବର୍ଷ କେନ୍ଦ୍ରୀୟ ନିର୍ଦ୍ଦେଶନାମା ଓ ସମବାୟ ଆଇନର ବ୍ୟବସ୍ଥାକୁ ନେଇ ଅସ୍ପଷ୍ଟତା ଥିବା ସତ୍ତ୍ୱେ ରାଜ୍ୟ ସମବାୟ ବିଭାଗ ପକ୍ଷରୁ ଜରୁରୀ ବୈଠକ ଡାକି ସମବାୟ ସପ୍ତାହ ପାଳନ ସମ୍ପର୍କରେ ପ୍ରୋସିଡିଂ ବାହାର କରାଯାଇଥିବା ଖବର ଏବେ ସାମ୍ନାକୁ ଆସିଛି।
ଏହି ବୈଠକ କାହା ନିର୍ଦ୍ଦେଶରେ ଡକାଗଲା?
73ତମ ସମବାୟ ସପ୍ତାହ ପାଳନ କରିବା ରାଜ୍ୟ ସମବାୟ ବିଭାଗର ଆଇନଗତ ଦାୟିତ୍ୱ କି?
ଯଦି ଆଇନରେ ରାଜ୍ୟ ସମବାୟ ୟୁନିଅନକୁ ଏହି ଦାୟିତ୍ୱ ଦିଆଯାଇଛି, ତେବେ ବିଭାଗ ନିଜେ ଏହା ପାଳନ କରିବାର ଅଧିକାର କେଉଁ ଆଇନରୁ ପାଇଲା?
ଆଇନ ବଦଳାନ୍ତୁ, ତା’ପରେ ଉତ୍ସବ କରନ୍ତୁ!ସମବାୟ ଆଇନରେ ଯଦି ସମବାୟ ୟୁନିଅନର ଭୂମିକା ସ୍ପଷ୍ଟ ଭାବେ ରହିଛି, ତେବେ ପ୍ରଥମେ ଆଇନରେ ପରିବର୍ତ୍ତନ ଆଣନ୍ତୁ। ଆଇନରୁ ୟୁନିଅନର ଭୂମିକାକୁ ବାଦ ଦିଅନ୍ତୁ। ତା’ପରେ ରାଜ୍ୟ ସମବାୟ ବିଭାଗ ନିଜ ଇଚ୍ଛାରେ ସମବାୟ ସପ୍ତାହ ପାଳନ କଲେ କାହାର ଆପତ୍ତି ରହିବ ନାହିଁ।କିନ୍ତୁ ଆଇନ ଗୋଟିଏ କଥା କହିବ ଏବଂ କାର୍ଯ୍ୟରେ ତାହାର ବିପରୀତ ହେବ—ଏହା କେମିତି ଓଡିଶା ସମବାୟ ଶାସନ?
ଆଜି ଵି ରାଜ୍ୟ ସମବାୟ ବିଭାଗ କରିଥିବା 2023 ଓ 2024 ର କୋଟି କୋଟି ଟଙ୍କାର ହିସାବ RTI ମାଗିଲେ ମିଳୁନାହଁ ବୋଲି ଅଭିଯୋଗ ରହିଛି l

‘ସମ୍ବନ୍ଧ’ ପୂର୍ବରୁ ଆଇନ ସହ ସମ୍ବନ୍ଧ ଯୋଡ଼ନ୍ତୁ!
ରାଜ୍ୟରେ ନୂଆ କରି ‘ସମ୍ବନ୍ଧ’ ଭଳି ଅଭିଯାନ ଆରମ୍ଭ କରାଯାଉଛି। ଅନ୍ୟ ରାଜ୍ୟର ମଡେଲକୁ ଅନୁସରଣ କରିବା ପୂର୍ବରୁ ସେହି ରାଜ୍ୟରେ ସମବାୟ ସପ୍ତାହ କିଏ ପାଳନ କରୁଛି ଏବଂ କେଉଁ ଆଇନ ତାଙ୍କୁ ଏହି ଅଧିକାର ଦେଇଛି—ତାହା ଅଧ୍ୟୟନ କରିବା ଆବଶ୍ୟକ।ଅନ୍ୟ ରାଜ୍ୟକୁ କପି କରିବା ପୂର୍ବରୁ ସେହି ରାଜ୍ୟର ଆଇନକୁ ପଢ଼ନ୍ତୁ।
ମୁଖ୍ୟମନ୍ତ୍ରୀଙ୍କ ଛବିକୁ ନେଇ ମଧ୍ୟ ପ୍ରଶ୍ନ
ସାଧାରଣ ସମବାୟ କର୍ମୀଙ୍କ ମଧ୍ୟରେ ଏବେ ଏହି ଚର୍ଚ୍ଚା ଜୋର ଧରିଛି ଯେ, ଆଇନ ଓ ନିୟମକୁ ନେଇ ଯଦି ଏପରି ବିବାଦୀୟ ପଦକ୍ଷେପ ନିଆଯାଏ, ତେବେ ଏହାର ରାଜନୈତିକ ଓ ପ୍ରଶାସନିକ ଦାଇତ୍ୱ କାହାର? ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସରକାରକୁ ବଦନାମ କରିବା ପାଇଁ କୌଣସି ଅଧିକାରୀ ନିଜ ମନମୁତାବକ ଆଇନର ବ୍ୟାଖ୍ୟା କରୁନାହାନ୍ତି ତ?—ଏହାର ନିରପେକ୍ଷ ତଦନ୍ତ ଆବଶ୍ୟକ।
ସମବାୟ କ୍ଷେତ୍ରରେ ଆଇନ ସର୍ବୋଚ୍ଚ। ବ୍ୟକ୍ତି, ପଦବୀ କିମ୍ବା ବିଭାଗ ନୁହେଁ—ଆଇନ ହିଁ ଶେଷ କଥା।
ତେଣୁ ରାଜ୍ୟ ସରକାର ଏବଂ ସମବାୟ ବିଭାଗ ନିକଟରେ ଦାବି—
୧. ସମବାୟ ସପ୍ତାହ ପାଳନର ଆଇନଗତ ଅଧିକାର କାହାର, ତାହା ସ୍ପଷ୍ଟ କରାଯାଉ।
୨. ୨୦୨୩ ଓ ୨୦୨୪ ସମବାୟ ସପ୍ତାହ ପାଳନ ହୋଇଥିବା ଖର୍ଚ୍ଚର ସମ୍ପୂର୍ଣ୍ଣ ବିଲ୍, ଭାଉଚର ଓ ହିସାବ ସାର୍ବଜନୀନ କରାଯାଉ।
୩. Rule–45 ଓ ସମ୍ପୃକ୍ତ ଆଇନର ସ୍ପଷ୍ଟ ବ୍ୟାଖ୍ୟା ସାଧାରଣ ସମବାୟ କର୍ମୀଙ୍କ ସମ୍ମୁଖରେ ରଖାଯାଉ।
୪. ଆଇନ ଉଲ୍ଲଂଘନ ହୋଇଥିଲେ ଦାୟୀ ଅଧିକାରୀଙ୍କ ବିରୋଧରେ ଉଚିତ ପଦକ୍ଷେପ ନିଆଯାଉ।
ସମବାୟର ନାମରେ ଉତ୍ସବ ନୁହେଁ—ପ୍ରଥମେ ଆଇନକୁ ସମ୍ମାନ, ତା’ପରେ ସମବାୟର ସମ୍ମାନ ବୋଲି ସମବାୟ ବିତ ମାନେ ମତ ପୋଷଣ କରିଛନ୍ତି l
