ଭୁବନେଶ୍ବର: ମୟୂରଭଞ୍ଜ ଜିଲ୍ଲା ବାରିପଦା ସହର ଭଞ୍ଜପୁର ଥାନା ଅନ୍ତର୍ଗତ ଜମୁନାଦେଈପୁର ଅଞ୍ଚଳରୁ ଗତକାଲି ନିଖୋଜ ହୋଇଥିବା ୪ ବର୍ଷର ଶିଶୁକନ୍ୟାକୁ ପୋଲିସ ସୁରକ୍ଷିତ ଭାବେ ଉଦ୍ଧାର କରିଛି। ଏହି ଘଟଣାରେ ଜଣେ ଅଭିଯୁକ୍ତକୁ କାବୁ କରାଯାଇଥିବା ବେଳେ ଭଞ୍ଜପୁର ଥାନା ପୋଲିସ ତାକୁ ଅଟକ ରଖି ପଚରାଉଚରା କରିଛି। ସୂଚନା ଅନୁଯାୟୀ, ଖୁଣ୍ଟା ବ୍ଲକ ଲାକ୍ଷଣସାହିର ମୂଳ ବାସିନ୍ଦା ସୁନୀଲ କୁମାର ସୋରେନ ଓ ଚାନ୍ଦମଣି ମୁର୍ମୁଙ୍କ ପରିବାର ବର୍ତ୍ତମାନ ବାରିପଦାର ଜମୁନାଦେଈପୁରଠାରେ ଭଡ଼ାରେ ରହିଆସୁଛନ୍ତି। ଗତକାଲି ସେମାନଙ୍କ ୪ ବର୍ଷର ଝିଅ ଘର ପାଖରେ ଖେଳୁଥିବା ସମୟରେ ହଠାତ୍ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ବହୁତ ଖୋଜାଖୋଜି କରିବା ପରେ ମଧ୍ୟ କୌଣସି ସନ୍ଧାନ ନ ପାଇବାରୁ, କେହି ଜଣେ ଶିଶୁଟିକୁ ଅପହରଣ କରିଥିବା ନେଇ ଥାନାରେ ଏତଲା ଦେଇଥିଲେ। ସକାଳୁ ଅଭିଯୁକ୍ତ ଜଣକ ଶିଶୁକନ୍ୟାକୁ ଆଣି ପୁଣି ଘର ନିକଟରେ ଛାଡ଼ି ପଳାଉଥିବା ସମୟରେ ସ୍ଥାନୀୟ ଲୋକଙ୍କ ନଜର ପଡ଼ିଥିଲା। ସତର୍କ ଲୋକମାନେ ତତ୍ପରତା ପ୍ରକାଶ କରି ଅଭିଯୁକ୍ତକୁ କାବୁ କରିବା ସହ ପୋଲିସ ଜିମା ଦେଇଥିଲେ। ପ୍ରାଥମିକ ତଦନ୍ତରୁ ଅଭିଯୁକ୍ତ ଜଣକ ପଶ୍ଚିମବଙ୍ଗର ବାସିନ୍ଦା ବୋଲି ପୋଲିସ ସନ୍ଦେହ କରୁଛି। ତେବେ ରାତିସାରା ଶିଶୁଟିକୁ କେଉଁଠି ଲୁଚାଇ ରଖାଯାଇଥିଲା ଏବଂ ଏହି ଅପହରଣ ପଛର ପ୍ରକୃତ କାରଣ କ’ଣ ସେଥିପାଇଁ ପୋଲିସ ତଦନ୍ତ ଜାରି ରଖିଛି ।
