ଭୁବନେଶ୍ବର: ରାଜଧାନୀ ହେବ ଜଳାନ୍ତଙ୍କ ରୋଗ ମୁକ୍ତ ସହର । ଏହି ଲକ୍ଷ୍ୟ ନେଇ ସହରରେ ଥିବା ପ୍ରାୟ 47 ହଜାର ବୁଲା କୁକୁରଙ୍କ ମଧ୍ୟରୁ ଅଧିକାଂଶଙ୍କୁ ରାବିସ୍ ଟିକା ଦେବ ବିଏମସି । ଯାହା ଦ୍ୱାରା ରୋଗ ପ୍ରତିରୋଧକ ଶକ୍ତି ଦୃଢ ହୋଇପାରିବ । ଏନେଇ ଗତକାଲି (ଶୁକ୍ରବାର) ଭୁବନେଶ୍ୱର ମହାନଗର ନିଗମ (ବିଏମ୍ ସି), ମିଶନ ରାବିସ୍-ଓ୍ୱାର୍ଲ୍ଡ ଓ୍ୱାଇଡ୍ ଭେଟେନାରୀ ସର୍ଭିସ୍ ଏବଂ କଲେଜ ଅଫ୍ ଭେଟେନାରୀ ସାଇନ୍ସ ଆଣ୍ଡ ଆନିମଲ ହସବ୍ୟାଣ୍ଡର୍ରୀ ମଧ୍ୟରେ ଏକ ତ୍ରିପାକ୍ଷିକ ଚୁକ୍ତ ସ୍ୱାକ୍ଷରିତ ହୋଇଛି । ସହରକୁ ଜଳାନ୍ତକ ରୋଗରୁ ମୁକ୍ତ କରିବା ପାଇଁ ଏହି ଦୁଇଟି ସଂସ୍ଥା ରାବିସ୍ ଟିକା ଦେବା ପାଇଁ, ଯୋଜନା ପ୍ରଣୟନ, କାର୍ଯ୍ୟକାରୀ, ବୈଷୟିକ ପରାମର୍ଶ ସହାୟତା, ବୈଜ୍ଞାନିକ ସହାୟତା, ଦକ୍ଷତା ବିକାଶ ଆଦି କାର୍ଯ୍ୟ କରିବେ । ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳର ପ୍ରୟୋଗ ଏବଂ ବିଜ୍ଞାନ ସମ୍ମତ ଭାବେ ବୁଲା କୁକୁରଙ୍କୁ ଜଳାନ୍ତକ ପ୍ରତିଷେଧକ ଟିକା ଦାନ, ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା ଦିଗରେ କାର୍ଯ୍ୟ କରିବେ । ଏନେଇ ଭୁବନେଶ୍ୱର ମେୟର ସୁଲୋଚନା ଦାସ କହିଛନ୍ତି,” ସହରକୁ ଜଳାନ୍ତକ ରୋଗ ମୁକ୍ତ କରିବା ପାଇଁ ତଥ୍ୟଭିତ୍ତିକ ଏବଂ ଯୋଜନାବଦ୍ଧ ଭାବେ ବୁଲା କୁକୁରଙ୍କର ଗଣ ଟିକାଦାନ ଓ ତଦାରଖ କରାଯିବ । ତାଲିମ, ପରିଚାଳନା ଏବଂ କ୍ଷେତ୍ର ପର୍ଯ୍ୟବେକ୍ଷଣ ଜରିଆରେ ବିଏମସିର ଦକ୍ଷତା ବୃଦ୍ଧି ହେବ । ଜଳାନ୍ତକ ପ୍ରତିଷେଧକ ସମ୍ପର୍କରେ ଶିକ୍ଷା ଓ ଜନ ସଚେତନତା ସୃଷ୍ଟି କରାଯିବ । ଉଭୟ ପ୍ରାଣୀ ଓ ଜନସ୍ୱାସ୍ଥ୍ୟ ସୁରକ୍ଷାକୁ ସୁନିଶ୍ଚିତ କରାଯିବ ବୋଲି ଏହି ଚୁକ୍ତିରେ କୁହାଯାଇଛି । ମିଶନ ରାବିସ୍ (ଇଣ୍ଡିଆ), ସର୍ଭେଲାନ୍ସ , ତାଲିମ, ମୋବାଇଲ୍ ଆପ୍ ଡେଭଲପମେଣ୍ଟ, ଲଜିଷ୍ଟିକ୍ ଆଦି କାର୍ଯ୍ୟ ପାଇଁ ସମସ୍ତ ପ୍ରକାର ବୈଷୟିକ ସହାୟତା ଯୋଗାଇଦେବ । ସେହିପରି ଓୟୁଏଟି ଭେଟେନାରୀ ଛାତ୍ରଛାତ୍ରୀମାନେ ଇଣ୍ଟର୍ଣ୍ଣ ଭାବେ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ।
