ଭୁବନେଶ୍ୱର:୨୦୧୨ ମେ’ ୨୯ ଓଡ଼ିଶା ରାଜନୈତିକ ଇତିହାସରେ ସବୁଦିନ ମନେ ପକାଯିବ ଏହି ଦିନ । କୁହାଯାଏ ସେଦିନ ନବୀନଙ୍କୁ ଗାଦିଚ୍ୟୁତ କରିବାକୁ ଷଡ଼ଯନ୍ତ୍ର କରିଥିଲେ ତାଙ୍କରି ବିଶ୍ବସ୍ତ ତଥା ତତ୍କାଳୀନ ବିଜେଡି ସରକାରର ପାୱାର ସେଣ୍ଟର ପ୍ୟାରୀମୋହନ ମହାପାତ୍ର । ସେ ଘଟଣାକୁ ୧୩ ବର୍ଷ ବିତିଲାଣି । ୟା ଭିତରେ ରାଜ୍ୟରୁ ବିଜେଡି ବି କ୍ଷମତାରୁ ଗଲାଣି । ନବୀନ ଏବେ ମୁଖ୍ୟମନ୍ତ୍ରୀ ନାହାନ୍ତି, କିନ୍ତୁ ଚର୍ଚ୍ଚା ହେଉଛି ଏବେ ବି ନବୀନଙ୍କ ମନରେ ମିଡ୍ ନାଇଟ୍ ଅପରେସନର ଛନକା । ଏବେ ବିଧାୟକ ଅରବିନ୍ଦ ମହାପାତ୍ର ଓ ସନା ମହାକୁଡ଼ଙ୍କୁ ବିଜେଡିରୁ ନିଲମ୍ବନ ଘଟଣା ନେଇ ଦଳର ମୁଖପାତ୍ର ଲେନିନ ମହାନ୍ତି ଯେଉଁ ବୟାନ ଦେଇଛନ୍ତି ତାହା ଯେତିକି ରୋଚକ, ନବୀନ ଓ ବିଜେଡି ପାଇଁ ସେତିକି ଚିନ୍ତାଜନକ ।ଅରବିନ୍ଦ ଓ ସନାଙ୍କ ନିଲମ୍ବନ ନେଇ ଝଡ଼ ଥମି ନ ଥିବା ବେଳେ ବିଜେଡି ଆଣିଛି ଆଉ ଏକ ବଡ଼ ଅଭିଯୋଗ । ଦଳୀୟ ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି, ମିଡ୍ ନାଇଟ୍ ଅପରେସନ ଭଳି ହୋଇଥିଲା ମିଡ୍-ଡେ ଅପରେସନର ଯୋଜନା । ପ୍ରମାଣ ମିଳିବା ପରେ ଦୁଇ ଜଣ ବିଧାୟକଙ୍କୁ ନିଲମ୍ବନ କରି ମିଡ୍ ଡେ’ ଅପରେସନ ଯୋଜନାରେ ବ୍ରେକ୍ ଦିଆଯାଇଛି । ଯାହାର ଜବାବ ରଖିଛନ୍ତି ଖୋଦ୍ ଅରବିନ୍ଦ ମହାପାତ୍ର ।ମିଡ୍-ଡେ ଅପରେସନ ଅଭିଯୋଗ ଭିତରକୁ ବିଜୟ ମହାପାତ୍ରଙ୍କୁ ଟାଣିଛନ୍ତି ଲେନିନ । କହିଛନ୍ତି ଦଳକୁ ଦୁର୍ବଳ କରିବାକୁ ହୋଇଥିଲା ଷଡ଼ଯନ୍ତ୍ର । ଏଥିରେ ବିଜୟ ମହାପାତ୍ର, ଅରବିନ୍ଦ ମହାପାତ୍ର ଓ ସନାତନ ମହାକୁଡ଼ ଅଂଶ ବିଶେଷ ଥିଲେ । କିଛି ମାସ ହେବ ଏମାନେ ଷଡ଼ଯନ୍ତ୍ର କରୁଥିଲେ । ଯାହାକୁ କଡ଼ା କାଉଣ୍ଟର କରିଛନ୍ତି ଅରବିନ୍ଦ ।କ’ଣ ଥିଲା ସେହି ମିଡ୍ ନାଇଟ ଅପରେସନ, ଯାହାକୁ ଏବେ ବି ଏତେ ଭୟ କରନ୍ତି ନବୀନ । ୨୦୧୨ ମେ ୨୯ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଦେଶ ଗସ୍ତରେ ଯାଇଥିବା ବେଳେ ସେଦିନ ରାତିରେ ତତ୍କାଳୀନ ବିଜେଡି ସରକାରର ପାୱାର ସେଣ୍ଟର ପ୍ୟାରୀ ମୋହନ ମହାପାତ୍ରଙ୍କ ଭୁବନେଶ୍ବର ସହିଦନଗରସ୍ଥିତ ଘରେ ଏକାଠି ହୋଇଥିଲେ ବିଜେଡି ନେତା ଓ ବିଧାୟକ । ଚର୍ଚ୍ଚା ହେଉଥିଲା ନବୀନଙ୍କୁ ହଟାଇବା ପାଇଁ ଦଳୀୟ ନେତା ଓ ବିଧାୟକଙ୍କଠାରୁ ଦସ୍ତଖତ ନେଇଥିଲେ ପ୍ୟାରୀ ବାବୁ । କିନ୍ତୁ ନବୀନଙ୍କ ପାଖରେ ପହଞ୍ଚିଗଲା ଖବର । ବିଦେଶ ଗସ୍ତ ଅଧାରୁ ଓଡ଼ିଶା ଫେରିଲେ ନବୀନ, ଫେଲ୍ ମାରିଲା ପ୍ୟାରୀଙ୍କ ପ୍ଲାନ୍। ମାତ୍ର ସେହି ଡର ଏବେ ବି ନବୀନଙ୍କୁ ଗୋଡେଇ ଖାଉଛି । ତେଣୁ ସେହିପରି ଏକ ମିଡ୍ ଡେ’ ଅପରେସନ ରୋକିବାକୁ ଉଭୟ ଅରବିନ୍ଦ ଓ ସନାଙ୍କୁ ଦଳରୁ ନିଲମ୍ବନ କରିଛନ୍ତି ।
