ଭୁବନେଶ୍ୱର: ରାଜ୍ୟ ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ୧୪୪ତମ ରାଜ୍ୟସ୍ତରୀୟ ସିଂଗିଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି (SLSWCA)ମାଧ୍ୟମରେ, ୨୩ଟି ଶିଳ୍ପ ନିବେଶ ପ୍ରସ୍ତାବକୁ ମଞ୍ଜୁର ମିଳିଛି । ଯାହା ୪୧୧୧.୮୦ କୋଟି ନିବେଶ ସହିତ ୯୯୨୪ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ୧୧ଟି ଜିଲ୍ଲାକୁ କଭର କରି ୨୩ଟି ନିବେଶ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏହି ଅନୁମୋଦନ ଗୁଡ଼ିକ ଓଡ଼ିଶାର ଶିଳ୍ପ ଇକୋସିଷ୍ଟମକୁ ସୁଦୃଢ଼ କରିବା ଏବଂ ନିଯୁକ୍ତି-କେନ୍ଦ୍ରିକ ଅର୍ଥନୈତିକ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଦିଗରେ ଆଉ ଏକ ପ୍ରମୁଖ ମାଇଲଖୁଣ୍ଟ ହେବ । ବାଲେଶ୍ୱର, ଭଦ୍ରକ, କଟକ, ଦେବଗଡ, ଗଞ୍ଜାମ, ଜଗତସିଂହପୁର, ଖୋର୍ଦ୍ଧା, କୋରାପୁଟ, ପୁରୀ, ସମ୍ବଲପୁର, ସୁନ୍ଦରଗଡରେ କାର୍ଯ୍ୟକାରୀ ହେବ ଏହି ପ୍ରକଳ୍ପ ।ଅନୁମୋଦିତ ପ୍ରକଳ୍ପ ଗୁଡ଼ିକ ହେଉଛି, ମେକାନିକାଲ୍ ଏବଂ ବୈଦ୍ୟୁତିକ ପୁଞ୍ଜିଗତ ସାମଗ୍ରୀ, ପୋଷାକ ଏବଂ ବୟନଶିଳ୍ପ, ମହାକାଶ ଏବଂ ପ୍ରତିରକ୍ଷା ଉତ୍ପାଦନ, ଜାହାଜ ନିର୍ମାଣ ଏବଂ ଜାହାଜ ମରାମତି, ଔଷଧ, ରାସାୟନିକ ପଦାର୍ଥ, ପ୍ରତିରୋଧକ ସାମଗ୍ରୀ, ଆଲୁମିନିୟମ୍ ଡାଉନଷ୍ଟ୍ରିମ୍ ଶିଳ୍ପ, ଖଣିଜ ଉପକାରିତା, ମେଟାଲ ଡାଉନଷ୍ଟ୍ରିମ୍, ପ୍ଲାଷ୍ଟିକ୍, କାଚ ଉତ୍ପାଦନ, ଲଜିଷ୍ଟିକ୍ସ ଏବଂ ଗୋଦାମ, ଭିତ୍ତିଭୂମି ଏବଂ ପର୍ଯ୍ୟଟନ ।
