ନୂଆଦିଲ୍ଲୀ: ଆମେରିକାରେ ନିଖୋଜ ଭାରତୀୟ ଛାତ୍ରଙ୍କ ମିଳିଲା ମୃତଦେହ । ମୃତକ ହେଲେ ୨୨ ବର୍ଷୀୟ ସାକେତ ଶ୍ରୀନିବାସାୟ । ଗତ ସପ୍ତାହ ତଳେ ସେ ନିଖୋଜ ହୋଇଯାଇଥିଲେ । ତେବେ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି ।କର୍ଣ୍ଣାଟକ ରାଜ୍ୟର ବାସିନ୍ଦା ସାକେତ ଶ୍ରୀନିବାସୟ ଆମେରିକାର କାର୍ଲିଫର୍ଣ୍ଣିଆ ବିଶ୍ବବିଦ୍ୟାଳୟରେ ମାଷ୍ଟର ଡିଗ୍ରୀ କରୁଥିଲେ । ଗତ ଫେବୃଆରୀ ୯ ରେ ନିଖୋଜ ହୋଇଯାଇଥିବା ଖବର ମିଳିଥିଲା । ଶେଷଥର ପାଇଁ ତାଙ୍କୁ କ୍ୟାମ୍ପସ ପରିସରଠୁ ମାତ୍ର ଏକ କିଲୋମିଟର ଦୂରରେ ଦେଖିବାକୁ ମିଳିଥିଲା । ନିଖୋଜ ଖବର ଆସିବା ପରେ ଆଖପାଖ ଅଞ୍ଚଳରେ ଖୋଜାଖୋଜି କରାଯାଇଥିଲା । ଏଥିସହ ପୂରା ସହରରେ ତାଙ୍କୁ ଖୋଜାଖୋଜି କରାଯାଇଥିଲେ ବି କୌଣସି ଖୋଜଖବର ମିଳିପାରିନଥିଲା ।ତେବେ ତାଙ୍କ ମୃତ୍ୟୁ ହୋଇଥିବା ନେଇ ସାନଫ୍ରାନ୍ସସିକୋ ସ୍ଥିତ ଭାରତୀୟ ଦୂତବାସ ପକ୍ଷରୁ ସ୍ପଷ୍ଟ କରାଯାଇଛି । ସ୍ଥାନୀୟ ଅଧିକାରୀ କହିଛନ୍ତି ସାକେତ ଶ୍ରୀନିବାସୟଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଖୁବ ଶୀଘ୍ର ତାଙ୍କ ମୃତଦେହ ଭାରତ ଅଣାଯିବାର ବ୍ୟବସ୍ଥା କରାଯିବ । ଏଥିପାଇଁ ସମସ୍ତ ସହାୟତା ପ୍ରଦାନ କରାଯିବ ବୋଲି ଦୂତବାସ ପକ୍ଷରୁ ଏକ୍ସ ପୋଷ୍ଟରେ କୁହାଯାଇଛି ।
