ଭୁବନେଶ୍ୱର: ବେଙ୍ଗାଲୁରୁ ସ୍ଥିତ ଅଜିମ୍ ପ୍ରେମଜୀ ବିଶ୍ୱବିଦ୍ୟାଳୟରେ ପରିବେଶ ସନ୍ତୁଳନ ଏବଂ ଜଳ ସଂରକ୍ଷଣ କ୍ଷେତ୍ରରେ ଓଡ଼ିଶାର ଛାତ୍ରଛାତ୍ରୀ ଉତ୍କୃଷ୍ଟ ପ୍ରଦର୍ଶନ କରି ଏକ ନୂତନ ଇତିହାସ ରଚନା କରିଛନ୍ତି । ପ୍ରତିଷ୍ଠିତ ‘ୱିପ୍ରୋ ଆର୍ଥିୟାନ୍’ (Wipro Earthian) ଜାତୀୟ ପ୍ରତିଯୋଗିତାରେ ଓଡ଼ିଶାର ଲୁଇସ୍ ବ୍ରେଲି ସ୍କୁଲ୍ ଫର୍ ଦି ବ୍ଲାଇଣ୍ଡ୍ ଶ୍ରେଷ୍ଠ ୨୦ଟି ବିଜେତା ବିଦ୍ୟାଳୟ ମଧ୍ୟରେ ସ୍ଥାନ ପାଇ ରାଜ୍ୟ ପାଇଁ ଗୌରବ ଆଣିଦେଇଛନ୍ତି । ଏଥିସହ ଲୁଇସ୍ ବ୍ରେଲି ସ୍କୁଲ୍ ଫର୍ ଦି ବ୍ଲାଇଣ୍ଡ୍ର ୪ ଜଣ ପ୍ରତିଭାବାନ ଛାତ୍ର ଏହି ଦଳରେ ସ୍ଥାନ ପାଇବାର ଗୌରବ ଅର୍ଜନ କରିଛନ୍ତି । ନିକଟରେ ଅନୁଷ୍ଠିତ ବାର୍ଷିକ ପୁରସ୍କାର ବିତରଣ ସମାରୋହରେ ଲୁଇସ୍ ବ୍ରେଲି ସ୍କୁଲ୍କୁ ସ୍ଥାୟୀତ୍ୱ (Sustainability) ଏବଂ ଜଳ ସଂରକ୍ଷଣ ଉପରେ ଏକ ଉତ୍କୃଷ୍ଟ ପ୍ରକଳ୍ପ ଉପସ୍ଥାପନ କରିଥିବାରୁ ସମ୍ମାନିତ କରାଯାଇଛି । ‘ଭିଜନ୍ ଏମ୍ପାୱାର’ (Vision Empower) ସଂସ୍ଥାର ବୈଷୟିକ ସହାୟତା ଏବଂ ମାର୍ଗଦର୍ଶନରେ ଏହି ପ୍ରକଳ୍ପଟି ସଫଳତାର ସହ କାର୍ଯ୍ୟକାରୀ ହୋଇଥିଲା । ସାରା ଦେଶର ପ୍ରାୟ ୨୨୦୦ରୁ ଅଧିକ ବିଦ୍ୟାଳୟ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ସେମାନଙ୍କ ମଧ୍ୟରୁ ଲୁଇସ୍ ବ୍ରେଲି ସ୍କୁଲ୍ ଏକମାତ୍ର ଦୃଷ୍ଟିବାଧିତ ବିଦ୍ୟାଳୟ ଭାବେ ଏହି ସମ୍ମାନଜନକ ମାନ୍ୟତା ହାସଲ କରି ଏକ ନୂତନ ଇତିହାସ ରଚିଛନ୍ତି ।
