ଭୁବନେଶ୍ୱର: ଇରାନ ପକ୍ଷରୁ ଦୁବାଇର ଆବୁଧାବି ସହର ଭଳି ଆଖାପାଖ ଅଞ୍ଚଳରେ କ୍ଷେପଣାସ୍ତ୍ର ମାଡ ହୋଇଛି । ମଧ୍ୟପ୍ରାଚ୍ୟରେ ଚାଲିଥିବା ମହାଯୁଦ୍ଧର ପ୍ରଭାବରେ ଦୁବାଇର ଆବୁଧାବିରେ ରହୁଥିବା ପ୍ରବାସୀ ଓଡିଆମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି । ସେଠାରେ ରହୁଥିବା ଓଡିଆ ଶ୍ରମିକଙ୍କ ଘର ନିକଟରେ ବିସ୍ଫୋରଣ ହୋଇଛି । ଯାହାକୁ ନେଇ ହଜାର ହଜାର ଓଡିଆ ଭୟଭୀତ ହୋଇପଡିଛନ୍ତି । ଗତକାଲି ଠାରୁ ସବୁ ଓଡ଼ିଆ ଶ୍ରମିକ କାମ ବନ୍ଦ କରି ଦେଇଛନ୍ତି। ସେମାନଙ୍କୁ କୋଠରୀ ଭିତରେ ରହିବାକୁ ପରାମର୍ଶ ଦିଆଯାଇଛି। ଦୁବାଇ ବିମାନବନ୍ଦର ବନ୍ଦ ରହିଥିବାରୁ ଶ୍ରମିକଙ୍କ ଫେରିବା ମଧ୍ୟ ସମ୍ଭବ ହେଉନି। ଇସ୍ରାଏଲ ଓ ଆମେରିକା ସହ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁ ଗତକାଲି ଠାରୁ ବିଭିନ୍ନ ଦେଶ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି। ଦୁବାଇରେ ଥିବା ଆମେରିକାର ସେନାଘାଟୀ ଉପରେ ଇରାନ କ୍ଷେପଣାସ୍ତ୍ର ମାଡ କରୁଛି। ଗତକାଲି ଦୁବାଇ ବିମାନବନ୍ଦର ସମେତ ସେହି ଦେଶର ୫ଟି ସହରରେ ଇରାନ କ୍ଷେପଣାସ୍ତ୍ର ମାଡ କରିଥିଲା।
ଦୁବାଇରେ ପାଇପ୍ ମିସ୍ତ୍ରୀ କାମ କରୁଥିବା ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଅଞ୍ଚଳର ଯୁବକ ସୁଦାମ ଭୂୟାଁଙ୍କ କହିବା ଅନୁସାରେ, ସେମାନେ ବର୍ତ୍ତମାନ ଯେଉଁ ଅଞ୍ଚଳରେ ରହୁଛନ୍ତି ଗତକାଲି ରାତି ସାଢେ ଗୋଟାଏ (ସେଠାକାର ସମୟ ଅନୁସାରେ) ବେଳେ ସେଠାରେ ଏକ କ୍ଷେପଣାସ୍ତ୍ର ମାଡ଼ ହୋଇଥିଲା। ଏଥିରେ ଅଞ୍ଚଳର ଏକାଧିକ ଘର ନଷ୍ଟ ହେବା ସହ ଏକାଧିକ ବସ ମଧ୍ୟ ପୋଡି ଯାଇଥିଲା। ୨ ଦିନ ହେବ ସେଠାରେ କାମ ବନ୍ଦ ରହିଛି। ସେମାନେ ଯେଉଁ କମ୍ପାନୀରେ କାମ କରୁଛନ୍ତି ସେଠାକାର କର୍ତ୍ତୃପକ୍ଷଙ୍କ ପକ୍ଷରୁ ଖାଦ୍ୟପାନୀୟ ଯୋଗାଇ ଦିଆଯାଉଛି। ସେହି ଅଞ୍ଚଳରେ ରହୁଥିବା ଶତାଧିକ ଗଞ୍ଜାମବାସୀ ସୁରକ୍ଷିତ ରହିଥିବା ସେ ସୂଚନା ଦେଇଛନ୍ତି। ସେହିପରି ଆବୁଧାବିରେ ରହୁଥିବା ଶେରଗଡ କୀର୍ତ୍ତିପୁରର କିଛି ଯୁବକଙ୍କ କହିବାପ୍ରକାରେ, ଗତକାଲି ସେମାନେ ରହୁଥିବା କୋଠା ନିକଟରେ ଥିବା ବିମାନବନ୍ଦରରେ ୫ଟି କ୍ଷେପଣାସ୍ତ୍ର ମାଡ ହୋଇଥିଲା। ସେହିପରି ଆବୁଧାବିର ଶିଳ୍ପାଞ୍ଚଳରେ ମଧ୍ୟ ବିସ୍ଫୋରଣ ହୋଇଛି। ୨ ଦିନ ହେବ କମ୍ପାନୀଗୁଡ଼ିକ ପକ୍ଷରୁ ସେହି ଅଞ୍ଚଳରେ କାମ ସମ୍ପୂର୍ଣ୍ଣ ବନ୍ଦ କରାଯାଉଛି। ଦୁବାଇରେ ସରକାରଙ୍କ ପକ୍ଷରୁ ନିର୍ଦେଶାବଳୀ ଜାରି କରାଯାଇଛି। ଓଡିଆ ଶ୍ରମିକମାନେ ନିଜ ନିଜ ଘରେ ରହୁଛନ୍ତି। ବର୍ତ୍ତମାନ ସେଠାକାର ପରିସ୍ଥିତ ଠିକ ଥିବା ଏହି ଯୁବକମାନେ ଜଣାଇଛନ୍ତି। ପ୍ରକାଶଥାଉକି, ଦୁବାଇ, ବାହାରିନ, ଓମାନ, କତାର ଭଳି ଉପସାଗରୀୟ ଦେଶରେ ହଜାର ହଜାର ଓଡ଼ିଆ ଶ୍ରମିକ ରହୁଛନ୍ତି। କେବଳ ଗଞ୍ଜାମ ଜିଲାରୁ ହଜାରେରୁ ଅଧିକ ଶ୍ରମିକ ଏସବୁ ଦେଶରେ ରହି ପାଇପ, ରଙ୍ଗ ମିସ୍ତ୍ରୀ ଓ ମେକାନିକ ଭାବେ କାମ କରୁଛନ୍ତି। ଗଞ୍ଜାମର ବ୍ରହ୍ମପୁର, ଛତ୍ରପୁର, ଖଲ୍ଲିକୋଟ, ପାତ୍ରପୁର, ପୋଲସରା, ପୁରୁଷୋତ୍ତମପୁର ସହ ଅନ୍ୟାନ୍ୟ ବ୍ଲକର ଯୁବକମାନେ ଉପରୋକ୍ତ ଦେଶରେ ପ୍ରବାସୀ ଶ୍ରମିକ ଭାବେ ରହୁଛନ୍ତି। ଯୁଦ୍ଧ ଆରମ୍ଭ ହେବା ପରେ ସେମାନେ ଓ ଏଠାରେ ଥିବା ତାଙ୍କ ପରିବାର ଚିନ୍ତାରେ ରହିଛନ୍ତି।
