ଭୁବନେଶ୍ୱର: ବିଜେଡି ଓ କଂଗ୍ରେସ ମିଶିବା ପ୍ରସଙ୍ଗରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଦେଲେ ବଡ଼ ବୟାନ । ସେ କହିଲେ, ସେମାନେ ସବୁବେଳେ ଭିତିରିଆ ସଲାସୁତୁରାରେ ଥିଲେ । ଲୁଚିଛି ନା ଗୋଡ଼ ଦୁଇଟା ଦିଶୁଛି । ସେମାନେ ବାରମ୍ବାର ପରାସ୍ତ ହେଉଛନ୍ତି । ଜନତା ତାଙ୍କ ଠାରୁ ଦୂରେଇ ଯାଉଛନ୍ତି । ସେଥିପାଇଁ ଭୟଭୀତ ହୋଇ ମେଣ୍ଟ କରିଛନ୍ତି । ଏ ମେଣ୍ଟ ଦ୍ଵାରା ସେମାନଙ୍କର କ୍ଷତି ହେବ । ଉଭୟ ଦଳର ଭିନ୍ନ ଆଦର୍ଶ, ଭିନ୍ନ ବିଚାରଧାରା, ଭିନ୍ନ କାର୍ଯ୍ୟଶୈଳୀ । ଆଗକୁ ସେମାନଙ୍କ ଭିତରେ ଭୟଙ୍କର ସଂଘର୍ଷ ହେବ । ଇଣ୍ଡି ମେଣ୍ଟର ଅବସ୍ଥା ଭାରତରେ ଆମେ ଦେଖୁଛୁ । ନବୀନ ବାବୁଙ୍କର କୌଣସି ଶାଶ୍ଵତ ନୀତି ନାହିଁ । ସୁରକ୍ଷା ଓ ଆତ୍ମରକ୍ଷା ପାଇଁ କେତେବେଳେ କିଛି ବି କରିପାରନ୍ତି । ବିଜେପି ଘୋଡ଼ା ବେପାରରେ ବିଚଳିତ ନୁହେଁ । ଦଳ ନିଜ ଶକ୍ତିରେ ଲଢିବ । ଯଦି ଅନ୍ୟ କିଏ ସହଯୋଗ କରନ୍ତି ତାହେଲେ ଭଲ ବୋଲି ପ୍ରତାପ ଷଡ଼ଙ୍ଗୀ କହିଛନ୍ତି ।
ରାଜ୍ୟସଭା ରାଜନୀତି ନେଇ ବିଜେଡି-ବିଜେପି-କଂଗ୍ରେସ ମଧ୍ୟରେ ଟଣାଓଟରା । ବୟାନବାଜି ବି ଜବରଦସ୍ତ । ଚାଲିଛି ଆରୋପ ପ୍ରତ୍ୟାରୋପର ଲଢେଇ । ଏସବୁ ଭିତରେ ରାଜ୍ୟସଭାର ୪ଟି ଆସନ ହାତେଇବା ପାଇଁ ସବୁ ଦଳର ଭିନ୍ନ ଭିନ୍ନ ରଣନୀତି । କିଛି ଦିନ ତଳେ ବିଜେଡି ରାଜ୍ୟସଭା ନିର୍ବାଚନ ପାଇଁ ଫର୍ମ ସେଟ୍ ନେଇଥିବା ବେଳେ ସୋମବାର ଦିନ ବିଜେପି ୧୬ ସେଟ୍ର ଫର୍ମ ନେଇଛି । ସରକାରୀ ଦଳ ମୁଖ୍ୟ ସଚେତକ ସରୋଜ ପ୍ରଧାନ ନିଜେ ଯାଇ ନିର୍ବାଚନ କମିଶନଙ୍କ ଅଫିସରୁ ଫର୍ମ ଆଣିଛନ୍ତି । ସରକାରୀ ଦଳ ମୁଖ୍ୟ ସଚେତକଙ୍କ ସମେତ ଦଳର ବରିଷ୍ଠ ନେତା ସାମିଲ ଥିଲେ । ଅନ୍ୟପଟେ ରାଜ୍ୟସଭା ନିର୍ବାଚନ ନେଇ ମୁଖ୍ୟମନ୍ତ୍ରୀ ଡାକିଛନ୍ତି ଗୁରୁତ୍ୱପୂର୍ଣ୍ଣ ବୈଠକ । ଏହି ବୈଠକରେ ଦଳର ବରିଷ୍ଠ ନେତା, ମନ୍ତ୍ରୀ ଏବଂ ବିଧାୟକ ଉପସ୍ଥିତ ରହିବାକୁ ନିର୍ଦ୍ଦେଶ ଦେଇଥିଲେ । ବର୍ତ୍ତମାନ ଯାଏଁ ବୈଠକ ସଂପର୍କରେ କୌଣସି ସବିଶେଷ ତଥ୍ୟ ଜଣାପଡିନାହିଁ । ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଏହି ବୈଠକ ଚାଲିଛି । ବୈଠକ ଶେଷ ପରେ ଦଳୀୟ ନେତା ପୁର ତଥ୍ୟ ଦେବେ ବୋଲି ଆଶା କରାଯାଉଛି ।
