ଭୁବନେଶ୍ୱର: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଜ୍ୟ ସମବାୟ ଉନିଅନ ପକ୍ଷରୁ “ଉତ୍କଳ ଗୌରବ ମଧୁସୂଦନ ସମବାୟ ତାଲିମ କେନ୍ଦ୍ର”ର ନିଜସ୍ୱ ତାଲିମ ଗୃହ ଉଦଘାଟନ କରାଯାଇଥିବା ସହ ଏକ ବିଶେଷ ମହିଳା ଶିବିର ଅନୁଷ୍ଠିତ ହୋଇଯାଇଛି।ସମବାୟ ବିଭାଗର ଅର୍ଥ ପରାମର୍ଶଦାତା ଶ୍ରୀ ସୁରେନ୍ଦ୍ର କୁମାର ସାହୁ ଏହି ତାଲିମ ଗୃହକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏହି ଅବସରରେ ସମବାୟ ସମିତି ସମୂହ, ଓଡ଼ିଶାର ଅତିରିକ୍ତ ନିବନ୍ଧକ ଶ୍ରୀମତୀ ରୋଜାଲିନ ସେନାପତି, ସହକାରୀ ନିବନ୍ଧକ ଶ୍ରୀମତୀ ସ୍ୱାତିବଲା ମହାପାତ୍ର ଓ ରାଜ୍ୟ ସମବାୟ ଉନିଅନର ଉପ-ନିବନ୍ଧକ ଶ୍ରୀମତୀ ସୁନୀତା ପତି ଉପସ୍ଥିତ ଥିଲେ।ତଥା ରାଜ୍ୟ ମହିଳା ନିଗମର ସଭାନେତ୍ରୀ ଶ୍ରୀମତୀ ସ୍ୱାଧୀନ ବାଲା ଦାସ, ମାର୍କଫେଡ୍ ସଭାପତି ସୁଶ୍ରୀ କବିତା ମଞ୍ଜରୀ ପରିଡ଼ା, ରାଜ୍ୟ ସମବାୟ ବ୍ୟାଙ୍କର ନିର୍ଦେଶକ ଶ୍ରୀମତୀ ଜୟଶ୍ରୀ ଗଡ଼ନାୟକ, ମହାନଗର କ୍ରେଡିଟ ସୋସାଇଟିର ଶ୍ରୀମତୀ ମମତା ପଣ୍ଡା ଓ “ସ୍ୱୟଂଶ୍ରୀ” ମହିଳା ସମବାୟ ସମିତିର ସଭାପତି ଶ୍ରୀମତୀ ପୂର୍ଣ୍ଣିମା ସିଂଙ୍କ ସମେତ ବହୁ ମହିଳା ପ୍ରାଥମିକ ସମବାୟ ସମିତିର କର୍ମକର୍ତ୍ତାମାନେ ଏହି କାର୍ଯ୍ୟକ୍ରମରେ ଯୋଗଦେଇଥିଲେ।ଏହି ତାଲିମ କେନ୍ଦ୍ର ମାଧ୍ୟମରେ ମହିଳା ସମବାୟ ସମିତି ଓ ସେମାନଙ୍କର କର୍ମକର୍ତ୍ତାମାନଙ୍କୁ ବିଭିନ୍ନ ପ୍ରକାର ତାଲିମ ଓ କ୍ଷମତା ବିକାଶ କାର୍ଯ୍ୟକ୍ରମ ଦେଇ ସମବାୟ ଆନ୍ଦୋଳନକୁ ଆହୁରି ସୁଦୃଢ଼ କରାଯିବ ବୋଲି ଅତିଥିମାନେ ମତ ପ୍ରକାଶ କରିଥିଲେ।ଅନ୍ତର୍ଜାତୀୟ ମହିଳା ଦିବସ କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ଆଗେଇ ଆସିଥିବା ସମବାୟ ବିଭାଗର ବରିଷ୍ଠ ଅଧିକାରୀମାନେ, ସମବାୟ ନିବନ୍ଧକ ସମୂହଙ୍କ କାର୍ଯ୍ୟାଳୟର ଅଧିକାରୀମାନେ, ଅପେକ୍ସ ଅନୁଷ୍ଠାନର ସଭାପତି ଓ ନିର୍ଦ୍ଦେଶକମାନେ ସହିତ ସମସ୍ତ ସମବାୟ ସମିତିର କର୍ମକର୍ତ୍ତାମାନଙ୍କୁ ରାଜ୍ୟ ସମବାୟ ଉନିଅନ ପକ୍ଷରୁ ଆନ୍ତରିକ ଅଭିନନ୍ଦନ ଜଣାଇଥିଲେ ୟୁନିଅନ ସଭାପତି ସୁଶ୍ରୀ ପ୍ରଭାସିନୀ ଷଡ଼ଙ୍ଗୀ l
