ନୂଆଦିଲ୍ଲୀ:କ୍ଷୀର ଉତ୍ପାଦନ ଏବଂ ବିକ୍ରି ପାଇଁ ଏଣିକି ଲାଇସେନ୍ସ ଅନିବାର୍ଯ୍ୟ ହେବ।ଦୁଗ୍ଧ ତଥା ଡାଏରି ଉତ୍ପାଦନରେ ବଢ଼ିଚାଲିଥିବା ଅପମିଶ୍ରଣକୁ ରୋକିବାକୁ ଫୁଡ୍ ସେଫ୍ଟି ଅଥରିଟି ଅଫ୍ ଇଣ୍ଡିଆ ତଥା (FSSAI) ପକ୍ଷରୁ ଏହି ନିଷ୍ପତ୍ତି ନିଆ ଯାଇଛି lଡାଏରି ସହକାରୀ ସମିତି ସଦସ୍ୟଙ୍କୁ ବାଦ୍ ଦେଲେ , ଅନ୍ୟ ସମସ୍ତ ଦୁଗ୍ଧ ଉତ୍ପାଦକ ଏବଂ କ୍ଷୀର ବିକ୍ରି କରୁଥିବା ସମସ୍ତ କ୍ଷୀର ବ୍ୟବସାୟୀଙ୍କ ପାଇଁ (FSSAI)ରେ ପଞ୍ଜିକରଣ କରିବା ଅନିବାର୍ଯ୍ୟ ହେବ । ବିଭାଗ ପକ୍ଷରୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ଫୁଡ୍ କମିସନରଙ୍କୁ ଆଡଭାଇଜରି ଜାରି କରାଯାଇସାରିଛି । ଆଡଭାଇଜରିରେ ଉଲ୍ଲେଖ ଅଛି, ଡାଏରି ସହକାରୀ ସମିତି ସଦସ୍ୟଙ୍କୁ ଛାଡ଼ି ଦୁଗ୍ଧ ଉତ୍ପାଦନ କରୁଥିବା ସମସ୍ତ ବ୍ୟବସାୟୀ ଏବଂ ବିକ୍ରି କରୁଥିବା ଯେକୌଣସି ବ୍ୟବସାୟୀ ପଞ୍ଜିକରଣ ସହ ଲାଇସେନ୍ସ ପ୍ରାପ୍ତ କରିବା ନିହାତି ଜରୁରି । ଏଣିକି କ୍ଷୀର ଚିଲର୍ସ ମାନେ ଦୁଗ୍ଧ ଉତ୍ପାଦକ ଏବଂ ଦୁଗ୍ଧ ବିକ୍ରେତାଙ୍କ ବ୍ୟବସାୟ କେନ୍ଦ୍ରକୁ ମଧ୍ୟ ସମୟ ସମୟରେ ଯାଞ୍ଚ କରାଯିବ। ଯେଉଁଠି କ୍ଷୀର ରଖାଯାଉଛି, ସେଠିକାର ତାପମାତ୍ରା ଏବଂ ପରିଚ୍ଛନ୍ନତା ଏବଯ କ୍ଷୀରର ମାନ ପରୀକ୍ଷା କରାଯିବ । ଏହି ନିର୍ଦ୍ଦେଶାବଳୀ କାର୍ଯ୍ୟକାରୀ ହେଲେ କ୍ଷୀର ଅପମିଶ୍ରଣ ରୋକାଯିବା ସହ ଲୋକଙ୍କ ସ୍ବାସ୍ଥ୍ୟ ସୁରକ୍ଷାକୁ ବି ସୁନିଶ୍ଚିତ କରାଯାଇପାରିବ । ଏହି ନିୟମକୁ ଉଲଂଘନ କରୁଥିବା ବ୍ୟବସାୟୀଙ୍କ ବିରୋଧରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ କରାଯାଇଛି ।ଗ୍ରାହକଙ୍କଠାରୁ ବାରମ୍ବାର ଅପମିଶ୍ରଣ ଅଭିଯୋଗ ଆସିବା ପରେ FSSAI ଏଭଳି ନିଷ୍ପତ୍ତି ନେଇଛି ।
