ଭୁବନେଶ୍ୱର:ରଥଯାତ୍ରାରେ ଗୁଣ୍ଡିଚା ମନ୍ଦିର ସମ୍ମୁଖରେ ଗତବର୍ଷ ଦଳାଚକଟାରେ ୩ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଓ ୫୦ରୁ ଊର୍ଦ୍ଧ୍ବ ଭକ୍ତ ଆହତ ଘଟଣାର ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନକୁ ଚାପି ଦିଆଯାଇଛି। ବର୍ତ୍ତମାନର ମୁଖ୍ୟ ଶାସନ ସଚିବ ତଥା ତତ୍କାଳୀନ ଉନ୍ନୟନ ଆୟୁକ୍ତ ଅନୁ ଗର୍ଗ ତଦନ୍ତ ରିପୋର୍ଟ ଦେଇଥିଲେ। ପ୍ରାୟ ୧୦ କୋଟି ଟଙ୍କା ବ୍ୟୟରେ ପୁରୀ ସହରରେ ଲଗାଯାଇଥିବା ୨୭୫ କୃତ୍ରିମ ବୁଦ୍ଧିମତା ସଂଯୁକ୍ତ କ୍ଲୋଜ ସର୍କିଟ କ୍ୟାମେରା ଘଟଣା ସମୟରେ ଆଦୌ କାମ କରିନଥିବା ତଦନ୍ତରୁ ଜଣାପଡ଼ିଥିଲା। ଏପରିକି ୧ କୋଟି ଟଙ୍କା ବ୍ୟୟରେ ପୁରୀ ଟାଉନ୍ ଥାନା ଉପରେ ନିର୍ମିତ ଇଣ୍ଟିଗ୍ରେଟେଡ ନିୟନ୍ତ୍ରଣ କକ୍ଷ ଭିଡ଼ ନିୟନ୍ତ୍ରଣ କରିପାରି ନଥିଲା। ଅଘଟଣ ସମୟରେ ସେଠାରେ କୌଣସି ଅଧିକାରୀ ନଥିଲେ।ଅତ୍ୟନ୍ତ ନିମ୍ନମାନର କ୍ୟାମେରା ଲଗାଇ ଦାୟିତ୍ୱରେ ଥିବା ବରିଷ୍ଠ ଅଧିକାରୀ ଓ ଠିକାଦାର କୋଟି କୋଟି ଟଙ୍କା ଆତ୍ମସାତ କରିଥିବା ଅଭିଯୋଗ ହୋଇଥିଲା। ତଦନ୍ତ ବେଳେ କେତେକ ବ୍ୟକ୍ତି ଉନ୍ନୟନ ଆୟୁକ୍ତଙ୍କୁ ଭେଟି ଲିଖିତ ଅଭିଯୋଗ କରିଥିଲେ। ଉନ୍ନୟନ ଆୟୁକ୍ତ ତଦନ୍ତ ରିପୋର୍ଟରେ ଏ ସମ୍ପର୍କରେ ସ୍ପଷ୍ଟ ଭାବେ ଉଲ୍ଲେଖ କରିଛନ୍ତି। ହେଲେ ୯ ମାସ ପରେ ମଧ୍ୟ ୧୦ କୋଟିର ସିସିଟିଭି ଦୁର୍ନୀତିରେ ସମ୍ପୃକ୍ତ ଆଇଏଏସ, ଆଇପିଏସ ଅଧିକାରୀଙ୍କ ବିରୋଧରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନାହିଁ; ବରଂ ଦୁର୍ନୀତିର ସମସ୍ତ ପ୍ରମାଣ ନଷ୍ଟ ପାଇଁ ପର୍ଯ୍ୟାପ୍ତ ସୁଯୋଗ ମିଳିଥିବା ଅଭିଯୋଗ ହୋଇଛି। ଏପରିକି ସେମାନଙ୍କୁ ଦଣ୍ଡ ପରିବର୍ତ୍ତେ ଲୋଭନୀୟ ପଦରେ ନିଯୁକ୍ତି ଦେଇ ପୁରସ୍କୃତ କରାଯାଇଛି। ଏଥିଯୋଗୁଁ ଉଚ୍ଚସ୍ତରୀୟ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନରେ ସ୍ୱଚ୍ଛତା ନେଇ ସନ୍ଦେହ ସୃଷ୍ଟି ହୋଇଛି। ତଦନ୍ତ ରିପୋର୍ଟକୁ ଭିତ୍ତିକରି ଦାୟିତ୍ୱରେ ଅବହେଳା କରିଥିବା କିଛି ପୁଲିସ, ପ୍ରଶାସନିକ ଓ ଜଙ୍ଗଲ ବିଭାଗ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଉନ୍ନୟନ ଆୟୁକ୍ତ ସୁପାରିସ କରିଥିଲେ।କିଛି ଅଧିକାରୀଙ୍କୁ କେବଳ କାରଣ ଦର୍ଶାଅ ନୋଟିସ ସହ ବଦଳି କରାଯାଇଛି। ହେଲେ ଏତେବଡ ଅଘଟଣ ପାଇଁ ସେମାନଙ୍କୁ ଚାକିରିରୁ ନିଲମ୍ବନ କିମ୍ବା ବହିଷ୍କାର କରାଯାଇନାହିଁ। ଏ ସମ୍ପର୍କରେ ପୁରୀ ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ାଙ୍କ ମତାମତ ମିଳିପାରିନାହିଁ।
