ଢେଙ୍କାନାଳ:କାମାକ୍ଷାନଗର ଥାନା ସାରୁଆଳି ଗ୍ରାମ୍ୟ ଜଙ୍ଗଲରେ ଜଣେ କଲେଜ ଛାତ୍ରୀଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି । ମୃତ ଛାତ୍ରୀ ଜଣଙ୍କ କାମାକ୍ଷାନଗର ଥାନା ଅନ୍ତର୍ଗତ ଏକ ଗାଁର ବୋଲି ସୂଚନା ମିଳିଛି । ସେ କାମାକ୍ଷାନଗର ମହିଳା ମହାବିଦ୍ୟାଳୟରେ ଯୁକ୍ତ ୨ ପ୍ରଥମ ବର୍ଷର ଛାତ୍ରୀ ଥିଲେ । ଛାତ୍ରୀ ଜଣଙ୍କ ବୁଧବାର କଲେଜରେ ଗୋଟିଏ ସିଟିଂ ପରୀକ୍ଷା ସାରି ଆଉ ଘରକୁ ଫେରିନଥିଲେ । ଘର ଲୋକ ବହୁ ଖୋଜାଖୋଜି କରିଥିଲେ ହେଲେ ଛାତ୍ରୀ ଜଣଙ୍କୁ ପାଇ ନଥିଲେ । ଗୁରୁବାର ଛାତ୍ରୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ସାରୁଆଳି ଗ୍ରାମ୍ୟ ଜଙ୍ଗଲରେ ପଡିଥିବା ସ୍ଥାନୀୟ ଲୋକ ଦେଖିବାକୁ ପାଇଥିଲେ । ଏହା ଦେଖି ସ୍ଥାନୀୟ ଲୋକ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି କଲେଜ ବ୍ୟାଗ୍ ସହ ଛାତ୍ରୀଙ୍କ ରକ୍ତ ଜୁଡୁବୁଡୁ ଅବସ୍ଥାରେ ମୃତଦେହ ଉଦ୍ଧାର କରିଛି । ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ଢେଙ୍କାନାଳ ଏସ୍ପି ପହଞ୍ଚି ତଦନ୍ତ କରିଛନ୍ତି l
