ଭୁବନେଶ୍ୱର :ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବିରୋଧ ପ୍ରଦର୍ଶନ କରିଥିଲେ ବିରୋଧୀ। ଗୃହ ମଧ୍ୟଭାଗକୁ ହୋହାଲ୍ଲା କରିଥିଲେ। ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ବିରୋଧୀମାନେ ପ୍ଲାକାର୍ଡ ଧରି ନାରାବାଜି କରିଥିଲେ। ବାଚସ୍ପତି ବାରମ୍ବାର ଅନୁରୋଧ କରିବା ପରେ ବିରୋଧୀ ନିଜ ଜିଦ୍ରେ ଅଟଳ ରହିଥିଲେ। ଯାହାଫଳରେ ସାଢେ ୧୧ଟା ଯାଏଁ ବିଧାନସଭାକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ସୁରମା ପାଢୀ। ପୁଣି ଗୃହ କାର୍ଯ୍ୟ ଆରମ୍ଭ ହେବ ମାତ୍ରେ ସେଇ ସମାନ ସ୍ଥିତି ଦେଖିବାକୁ ମିଳିଥିଲା। ବାଧ୍ୟ ହୋଇ ବାଚସ୍ପତି ଅପରାହ୍ନ ୪ଟା ଯାଏଁ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିକୁ ନେଇ ଗୃହରେ ଅଚଳାବସ୍ଥା ଜାରି ରହିଛି। ସ୍ୱାସ୍ଥ୍ୟମନ୍ତ୍ରୀ ଇସ୍ତଫା ନଦେବା ଯାଏ ଗୃହ ଚାଲିପାରିବ ନାହିଁ ବୋଲି ଅଡି ବସିଛନ୍ତି ବିରୋଧୀ କଂଗ୍ରେସ ଓ ବିଜେଡି। ଏହାରି ଭିତରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ମଧ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି ଦୋହରାଇଛନ୍ତି। ମନ୍ତ୍ରୀ ଇସ୍ତଫା ନଦେବା ଯାଏଁ ପ୍ରତିବାଦ ଜାରି ରହିବ କହିଛନ୍ତି ନବୀନ। ଏତେ ବଡ଼ ଘଟଣା ପରେ ବି କୌଣସି କେନ୍ଦ୍ରମନ୍ତ୍ରୀ ନଆସିବା ଦୁଃଖର କଥା ବୋଲି ସେ କହିଛନ୍ତି।
