କନ୍ଧମାଳ:କନ୍ଧମାଳ ଜିଲ୍ଲାର ପ୍ରସିଦ୍ଧ ଜୈବିକ ଉତ୍ପାଦ ‘କନ୍ଧମାଳ ହଳଦୀ’ ଏବେ ଜାତୀୟ ବଜାରରେ ନୂତନ ପରିଚୟ ସୃଷ୍ଟି କରୁଛି। ଟିକାବାଲି ନିୟନ୍ତ୍ରିତ ବଜାର କମିଟି (RMC) ମାଧ୍ୟମରେ ହଳଦୀ ଚାଷୀମାନେ ଏବେ ଇ-ନାମ୍ (e-NAM) ପୋର୍ଟାଲ୍ ସହାୟତାରେ ସରାସରି ନିଜ ଉତ୍ପାଦ ବିକ୍ରୟ କରିପାରୁଛନ୍ତି।ଏହି ଆଧୁନିକ ବିପଣନ ବ୍ୟବସ୍ଥା ଦ୍ୱାରା ଚାଷୀମାନେ ଦେଶର ବିଭିନ୍ନ ବଜାର ସହ ଯୋଡ଼ାଯାଇ ଉଚିତ୍ ଓ ପ୍ରତିସ୍ପର୍ଧୀମୂଲ୍ୟ ପାଇବାର ସୁଯୋଗ ପାଉଛନ୍ତି। ସହିତେ ବ୍ୟବସାୟରେ ସ୍ୱଚ୍ଛତା ବୃଦ୍ଧି ପାଇ ମଧ୍ୟସ୍ଥଙ୍କ ଭୂମିକା କମିବାରେ ସାହାଯ୍ୟ ମିଳୁଛି, ଯାହା ଫଳରେ ଚାଷୀଙ୍କ ଆୟ ମଧ୍ୟ ବଢ଼ୁଛି।ଟିକାବାଲି RMC ପକ୍ଷରୁ ଏହି ସୁବିଧାର ଲାଭ ନେବା ପାଇଁ କୃଷକ ଓ ବ୍ୟବସାୟୀମାନଙ୍କ ପଞ୍ଜିକରଣ ପ୍ରକ୍ରିୟା ବର୍ତ୍ତମାନ ଚାଲୁ ରହିଛି। ସମସ୍ତ ଆଗ୍ରହୀ ଚାଷୀ ଓ ବ୍ୟବସାୟୀମାନେ ଏହି ଡିଜିଟାଲ୍ ପ୍ଲାଟଫର୍ମରେ ଯୋଗ ଦେଇ ନିଜ ଉତ୍ପାଦକୁ ଜାତୀୟ ସ୍ତରରେ ପହଞ୍ଚାଇବାକୁ ଆହ୍ୱାନ ଜଣାଯାଇଛି।
