ଯାଜପୁର:ବ୍ୟାସନଗର ତହସିଲଦାର ପ୍ରଶାନ୍ତ କୁମାର ପଣ୍ଡାଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ଆସିଛି। ଗୁରୁତର ଅବସ୍ଥାରେ ତାଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଲଘୁ ଖଣିଜ ଲୁଟ୍ ହେଉଥିବା ନେଇ ଖବର ପାଇ ଚଢ଼ାଉ କରିବାକୁ ଯାଇଥିବା ସମୟରେ ବ୍ୟାସନଗର ତହସିଲଦାରଙ୍କ ଉପରେ ଦୁର୍ବୁତ୍ତମାନେ ଟ୍ରାକ୍ଟର ଚଢ଼ାଇ ଦେବାକୁ ଉଦ୍ୟମ କରିଥିଲେ । ମିଳିଥିବା ସୂଚନା ଅନୁଯାୟୀ ବ୍ୟାସନଗର ତହସିଲ ଅଧିନ ମିନାବଜାର ଛକ ନିକଟରେ ଥିବା ଏକ ପୋଖରୀକୁ ଖନନ କରି କିଛି ଦୁର୍ବୁତ୍ତ ବେଆଇନ ଭାବେ ମାଟି ଲୁଟି ନେଉଥିଲେ। ଏନେଇ ଖବର ପାଇବା ପରେ ବ୍ୟାସନଗର ତହସିଲଦାର ପ୍ରଶାନ୍ତ କୁମାର ପଣ୍ଡା ସଦଳବଳେ ସେଠାରେ ପହଞ୍ଚିଥିଲେ । ହେଲେ ମାଟି ଲୁଟ୍ କରୁଥିବା ମାଫିଆମାନେ ତହସିଲଦାରଙ୍କ ଉପରେ ଟ୍ରାକ୍ଟର ଚଢ଼ାଇ ଦେଇଥିଲେ । ଗୁରୁତର ଅବସ୍ଥାରେ ତହସିଲଦାରଙ୍କୁ ଉଦ୍ଧାର କରାଯାଇ କୋରେଇ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ପୁଲିସ୍ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।
