ନୂଆଦିଲ୍ଲୀ:ଭାରତୀୟ ଜାହାଜଗୁଡ଼ିକୁ ବି ହର୍ମୁଜ ଦେଇ ଯିବାକୁ ଅନୁମତି ମିଳିନାହିଁ । ଇରାନର ନୌସେନା ଭାଗ୍ୟଲକ୍ଷ୍ମୀ ସମେତ ଦୁଇଟି ଭାରତୀୟ ଟ୍ୟାଙ୍କରକୁ ଆଗକୁ ବଢ଼ିବାରୁ ବାରଣ କରିଥିଲା । ଫଳରେ ଭାରତୀୟ ଟ୍ୟାଙ୍କର ସେଠାରୁ ଫେରିଆସିଛି ବୋଲି ଜଣାପଡ଼ିଛି । ରିପୋର୍ଟ ଅନୁସାରେ, ଭାରତୀୟ ପତାକା ଲାଗିଥିବା ‘ଭାଗ୍ୟଲକ୍ଷ୍ମୀ’ ନାମକ ଟ୍ୟାଙ୍କର୍ ହର୍ମୁଜ୍ ପ୍ରଣାଳୀ ଦେଇ ଯିବାକୁ ଚେଷ୍ଟା କରୁଥିଲା । କିନ୍ତୁ ଇରାନ ନୌସେନା ଏହାକୁ ଯିବାକୁ ଅନୁମତି ଦେଇନଥିଲା ।ଜାହାଜର କର୍ମଚାରୀମାନେ ଆଗକୁ ଯିବାକୁ ବାରମ୍ବାର ଅନୁମତି ମାଗିଥିଲେ । କିନ୍ତୁ ସେମାନଙ୍କୁ ଅନୁରୋଧକୁ ପ୍ରତ୍ୟାଖାନ କରାଯାଇଥିଲା ଏବଂ ତୁରନ୍ତୁ ପଛକୁ ଫେରିଯିବାକୁ କୁହାଯାଇଥିଲା । ଏକ ଭିଡିଓରେ ଜଣେ କ୍ରୁ ସଦସ୍ୟ କହୁଥିବା ଦେଖାଯାଉଛି, ‘ଆମେ ତୁମକୁ ସ୍ପଷ୍ଟ ଭାବରେ ଶୁଣିପାରୁଛୁ ।’ ଇରାନ ନୌସେନା ଜାହାଜକୁ ତୁରନ୍ତ ପଛକୁ ଫେରିବାକୁ କହୁଥିବା ମଧ୍ୟ ଭିଡିଓରେ ଶୁଣିବାକୁ ମିଳିଛି ।ଏହି ଘଟଣା ପରେ, ଭାରତ ଜାହାଜ ଏବଂ ନାବିକଙ୍କ ସୁରକ୍ଷା ନେଇ ଚିନ୍ତା ପ୍ରକାଶ କରିଛି। ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ଇରାନ ପୂର୍ବରୁ ଭାରତ ଅଭିମୁଖେ ଯାଉଥିବା ଜାହାଜଗୁଡ଼ିକୁ ସୁରକ୍ଷିତ ପଥ ପ୍ରଦାନ କରିଛି। ବୈଦେଶିକ ସଚିବ ବିକ୍ରମ ମିଶ୍ରି ଇରାନ ରାଷ୍ଟ୍ରଦୂତଙ୍କୁ ଭେଟି ଭାରତର ଚିନ୍ତା ଜଣାଇବା ସହିତ ଭାରତୀୟ ଜାହାଜ ପାଇଁ ତୁରନ୍ତ ସୁରକ୍ଷିତ ପଥ ପୁନଃସ୍ଥାପନ କରିବାକୁ ଅନୁରୋଧ କରିଛନ୍ତି। ଇରାନ ରାଷ୍ଟ୍ରଦୂତ ପ୍ରତିଶ୍ରୁତି ଦେଇଛନ୍ତି ଯେ, ଭାରତର ଚିନ୍ତା ତାଙ୍କ ସରକାରଙ୍କୁ ଜଣାଇ ଦିଆଯିବ।
