ଢେଙ୍କାନାଳ: ଜେଏସ୍ଡବ୍ଲ୍ୟୁ ଓ ପୋସ୍କୋର କାରଖାନା ଢେଙ୍କାନାଳରେ ହେବା ପାଇଁ ଗୁରୁତ୍ବପୂର୍ଣ୍ଣ ଚୁକ୍ତି ସ୍ବାକ୍ଷିରିତ ହୋଇଛି। ଶିଳ୍ପପତି ସଜ୍ଜନ ଜିନ୍ଦଲଙ୍କ କମ୍ପାନି ଜେଏସ୍ଡବ୍ଲ୍ୟୁ ଷ୍ଟିଲ୍ ଓ ଦକ୍ଷିଣ କୋରିଆର ପୋସ୍କୋ ମଧ୍ୟରେ ଯୌଥ ଉଦ୍ୟୋଗ ସ୍ଥାପନକୁ ନେଇ ଗୁରୁତ୍ବପୂର୍ଣ୍ଣ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇଛି। ଉଭୟ କମ୍ପାନି ମିଶି ଓଡ଼ିଶାରେ ବାର୍ଷିକ ୬ ନିୟୁତ ଟନ୍ ଉତ୍ପାଦନ କ୍ଷମତା ବିଶିଷ୍ଟ ଇସ୍ପାତ୍ କାରଖାନା ସ୍ଥାପନ କରିବେ। ଏହି କାରଖାନା କେଉଁ ସ୍ଥାନରେ ପ୍ରତିଷ୍ଠା ହେବ ତାହାକୁ ନେଇ ଲାଗି ରହିଥିବା କଳ୍ପନାଜଳ୍ପନାର ଅନ୍ତ ଘଟିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଜିଲ୍ଲା କେନ୍ଦୁଝରରେ ଉକ୍ତ କାରଖାନା ନିର୍ମାଣ କରାଯିବ ବୋଲି ବ୍ୟାପକ ପ୍ରଚାର କରାଯାଉଥିଲା। କିନ୍ତୁ ଜେଏସ୍ଡବ୍ଲ୍ୟୁ ଗ୍ରୁପ୍ ପକ୍ଷରୁ ଆଜି ସୂଚନା ଦିଆଯାଇଛି ଯେ, ପ୍ରସ୍ତାବିତ କାରଖାନା ଢେଙ୍କାନାଳ ଜିଲ୍ଲାରେ ସ୍ଥାପନ କରାଯିବ। ସେଠାରେ କମ୍ପାନି ପାଖରେ ପୂର୍ବରୁ ଜମି ଥିବା ଜେଏସ୍ଡବ୍ଲ୍ୟୁ ଜଣାଇଛି। ପ୍ରସ୍ତାବିତ କାରଖାନାରେ ଅଟୋମୋବାଇଲ୍ ଓ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର ପାଇଁ ଉଚ୍ଚ ମାନର ଇସ୍ପାତ ଉତ୍ପାଦନ କରାଯିବ। ଏହି ପ୍ରକଳ୍ପରେ ୩୫ ହଜାର କୋଟି ଟଙ୍କା ନିବେଶ ହେବ। ନୂଆଦିଲ୍ଲୀରେ ଅନୁଷ୍ଠିତ ଭାରତ-କୋରିଆ ବ୍ୟବସାୟ ସମ୍ମିଳନୀ ଅବସରରେ ଜେଏସ୍ଡବ୍ଲ୍ୟୁ ଓ ପୋସ୍କୋ ମଧ୍ୟରେ ବୁଝାମଣାପତ୍ର ସ୍ବାକ୍ଷର ହୋଇଯାଇଛି। ଜେଏସ୍ଡବ୍ଲ୍ୟୁ ଗ୍ରୁପ୍ର ସମ୍ପୂର୍ଣ୍ଣ ସହାୟକ କମ୍ପାନି ସାଫ୍ରନ୍ ରିସୋର୍ସେସ୍ ଜରିଆରେ ଢେଙ୍କାନାଳ ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯିବ । ୨୦୨୫ରେ ଏହି କମ୍ପାନିକୁ ଜେଏସ୍ଡବ୍ଲ୍ୟୁ ଅଧିଗ୍ରହଣ କରିଥିଲା । ଜେଏସ୍ଡବ୍ଲ୍ୟୁ-ପୋସ୍କୋ ପ୍ରକଳ୍ପ ଓଡ଼ିଶା ପାଇଁ ବିଶେଷ ଗୁରୁତ୍ବ ରଖୁଛି । କାରଣ ୫୨ ହଜାର କୋଟି ଟଙ୍କା ନିବେଶରେ ୧୨ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ଏକ ବିଶାଳ ଇସ୍ପାତ କାରଖାନା ବସାଇବା ପାଇଁ ୧୨ ବର୍ଷ ସଂଘର୍ଷ କରି ବିଫଳ ହୋଇଥିବା ପୋସ୍କୋ ପୁଣି ଥରେ ଓଡ଼ିଶା ଫେରୁଛି ।
