ଜଟଣୀ: ଆନ୍ତର୍ଜାତିକ ଶ୍ରମିକ ଦିବସ ଉପଲକ୍ଷେ ଜଟଣୀ ଲେବର କଣ୍ଟାକ୍ଟ କୋଅପରେଟିଭ ସୋସାଇଟି ଲିଃ ଆନୁକୂଲ୍ୟରେ ଗୋପୀନାଥପୁର ମୁଣ୍ଡିଆ ସାହିଠାରେ ସଂଗଠନର ଏକ ନୂତନ ଅଫିସଗୃହ ଓ କମ୍ୟୁନିଟି ହଲର ଭିତ୍ତିପ୍ରସ୍ତର ସ୍ଥାପନ, ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ ଏବଂ ସ୍ଥାନୀୟ କଲ୍ୟାଣମଣ୍ଡପ ପରିସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି। ସୋସାଇଟିର ମୁଖ୍ୟ ଉପଦେଷ୍ଟା ଶ୍ରୀ ସୁଧାଂଶୁ କୁମାର ଦାସଙ୍କ ପୌରୋହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜଟଣୀର ମାନ୍ୟବର ବିଧାୟକ ଶ୍ରୀ ବିଭୂତି ଭୂଷଣ ବଳବନ୍ତରାୟ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମବାୟ ସଂଗଠନମାନଙ୍କର ଲକ୍ଷ୍ୟ, ଉଦ୍ଦେଶ୍ୟ ଓ ସାମାଜିକ ବିକାଶ କ୍ଷେତ୍ରରେ ସେମାନଙ୍କର ଅବଦାନ ଉପରେ ଆଲୋକପାତ କରିଥିଲେ।

ରାଜ୍ୟ ଲେବର କୋଅପରେଟିଭ ଫେଡେରେସନର ସଭାପତି ଶ୍ରୀ ପ୍ରମୋଦ ସାମନ୍ତରାୟ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶ୍ରମିକମାନଙ୍କର ଅଧିକାର ଓ ସମବାୟ ଆନ୍ଦୋଳନର ଗୁରୁତ୍ୱ ଉପରେ ମତବ୍ୟକ୍ତ କରିଥିଲେ। ସଭ୍ୟ ବିଚିତ୍ରାନନ୍ଦ ପ୍ରଧାନ, ଯୁବନେତା ଅନନ୍ତ ଶତପଥୀ ଓ ଶିବପ୍ରସାଦ ମହାପାତ୍ର, ସ୍ଥାନୀୟ କର୍ପୋରେଟର ସୁଶ୍ରୀ ଜାଇ ବେହେରା, ପୂର୍ବତନ କର୍ପୋରେଟର ରହିମା ବିବି ପ୍ରମୁଖ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଶ୍ରମିକ ଦିବସର ତାତ୍ପର୍ଯ୍ୟ, ଶ୍ରମିକମାନଙ୍କ ସମସ୍ୟା, ଆବଶ୍ୟକତା ଓ ସରକାରୀ ଯୋଜନାରେ ସେମାନଙ୍କର ଭାଗିଦାରୀ ଉପରେ ଗୁରୁତ୍ୱାରୋପ କରିଥିଲେ। ସମସ୍ତେ ଶ୍ରମିକମାନଙ୍କର ମୌଳିକ ଆବଶ୍ୟକତା ପୂରଣ ଦିଗରେ ସମୁହିକ ସହଯୋଗର ଆହ୍ୱାନ ଜଣାଇଥିଲେ। ସୋସାଇଟିର ସମ୍ପାଦକ କାଲା ମୁଦ୍ଦିନ ଖାନ୍ ବିବରଣୀ ପାଠ କରିବା ସହ ସମଗ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଶେଷରେ ଯୁବନେତା ଓ ସମବାୟବିତ ଚିତନ ସାର୍ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଭାପତି ବିନୋଦ ବିହାରୀ ପ୍ରଧାନ, ସମାଜସେବୀ ପ୍ରତାପ ଚନ୍ଦ୍ର ସାମନ୍ତରାୟ, ସମବାୟବିତ୍ ପୁଷ୍ପ ପାତ୍ର, ଏମ୍.ଡି. ସମ୍ସେର, ଭାସ୍କର ଦାସ, ସମିନା ବେଗମ, କୁନ୍ତଳା ପ୍ରଧାନ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
