ଭୁବନେଶ୍ୱର:ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ଅବସ୍ଥିତ ରାଜ୍ୟ ସମବାୟ ବ୍ୟାଙ୍କକୁ ନେଇ ଏବେ ସାଧାରଣ ମହଳରେ ଚର୍ଚ୍ଚା ଜୋର ଧରିଛି । ଦୀର୍ଘ ଦିନ ଧରି ବ୍ୟାଙ୍କର ପରିଚାଳନା କମିଟି ଓ ପରିଚାଳନା ନିର୍ଦ୍ଦେଶକ (MD)ଙ୍କୁ ନେଇ ଅସ୍ପଷ୍ଟତା ଏବଂ ଅନ୍ତର୍ଦ୍ୱନ୍ଦ୍ୱ ଚାଲିଥିବା ବେଳେ, ବାର୍ଷିକ ସାଧାରଣ ବୈଠକକୁ ନେଇ ମଧ୍ୟ ଅନିଛା ପରିଲକ୍ଷିତ ହେଉଛି ।ସୂତ୍ର ଅନୁସାରେ, କିଛି ଦିନ ପୂର୍ବରୁ ରାଜ୍ୟ ସମବାୟ ବ୍ୟାଙ୍କର ସଭାପତି ଶ୍ରୀ ଟି. ପ୍ରସାଦ ଦୋରା ଏକ ବୃହତ୍ ସମବାୟ ମିଶ୍ରଣ ପର୍ବରେ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ସହ ଦଳର ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ମଧ୍ୟ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ସମନ୍ୱୟକ ଥିଲେ ସମବାୟ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ ।ମିଶ୍ରଣ ପର୍ବ ପରେ ସାଧାରଣରେ ଆଶା ସୃଷ୍ଟି ହୋଇଥିଲା ଯେ ରାଜ୍ୟ ସମବାୟ ବ୍ୟାଙ୍କରେ ପୁଣିଥରେ ଚଳଚଞ୍ଚଳତା ଫେରିବ ଓ ପରିଚାଳନାରେ ଗତି ଆସିବ । କିନ୍ତୁ ପ୍ରାୟ ୪୦ ଦିନ ବିତିଯାଇଥିଲେ ମଧ୍ୟ ସ୍ଥିତିରେ କୌଣସି ବଡ଼ ପରିବର୍ତ୍ତନ ଦେଖାଯାଇନି । “ଯଥା ପୂର୍ବଂ ତଥା ପରଂ” ପରି ପରିସ୍ଥିତି ଜାରି ରହିଥିବା ଚର୍ଚ୍ଚା ହେଉଛି ।ଗତ ଦୁଇ ଦିନ ତଳେ ଆମ ପ୍ରତିନିଧି ରାଜ୍ୟ ସମବାୟ ବ୍ୟାଙ୍କ ପରିସରକୁ ଯାଇଥିବା ବେଳେ ଦୁଇଟି ଗାଡ଼ି ଉପରେ ନଜର ପଡ଼ିଥିଲା । କିଛି କର୍ମଚାରୀଙ୍କୁ ପଚାରିବାରୁ ଜଣାପଡ଼ିଲା ଯେ ଗୋଟିଏ ସଭାପତିଙ୍କର ଓ ଅନ୍ୟଟି MDଙ୍କର । ଗାଡ଼ି ଦୁଇଟିର ଅବସ୍ଥା ଦେଖି ଏମିତି ଲାଗୁଥିଲା ଯେ, ସେମାନେ ନିଜ ମାଲିକଙ୍କ ଫେରିବା ଅପେକ୍ଷାରେ ନିରବ ଭାବେ ଠିଆ ହୋଇରହିଛନ୍ତି ।ଏବେ ପ୍ରଶ୍ନ ଉଠୁଛି — ରାଜ୍ୟ ସମବାୟ ବ୍ୟାଙ୍କରେ ପୁଣିଥରେ ସେ ପୁରୁଣା ଦିନର କାର୍ଯ୍ୟଚଞ୍ଚଳତା ଓ ବିଶ୍ୱାସ ଫେରିବ କି ? ଏହାକୁ ନେଇ ଶତାଧିକ ଚାଷୀ ପରିବାର ଓ ସମବାୟ ସଦସ୍ୟମାନେ ଅପେକ୍ଷାରେ ରହିଛନ୍ତି ।
