ଭୁବନେଶ୍ୱର:ରାଜ୍ୟର ଅଗ୍ରଣୀ ହସ୍ତତନ୍ତ ସଂସ୍ଥା ‘ବୟନିକା’ ପକ୍ଷରୁ ଏହାର ୭୦ତମ ପ୍ରତିଷ୍ଠା ଦିବସ ଭୁବନେଶ୍ୱରରେ ଅତ୍ୟନ୍ତ ଉତ୍ସାହ ଓ ଗରିମାର ସହ ପାଳିତ ହୋଇଯାଇଛି।ଏହି ଅବସରରେ ଓଡ଼ିଶାର ପାରମ୍ପରିକ ହସ୍ତତନ୍ତ କଳାର ସୁରକ୍ଷା, ବୁଣାକାରମାନଙ୍କ ଆର୍ଥିକ ସଶକ୍ତିକରଣ ଏବଂ ସଂସ୍ଥାର ଆଗାମୀ ଦିନର ବିକାଶମୂଳକ ଯୋଜନା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।ଏହି ପଦକ୍ଷେପଗୁଡ଼ିକ ରାଜ୍ୟର ବୟନ ଶିଳ୍ପକୁ ଆହୁରି ସମୃଦ୍ଧ କରିବାରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଥିଲା।ବୟନିକା ମାଧ୍ୟମରେ ଓଡ଼ିଶାର ସମୃଦ୍ଧ କଳା ଓ ସଂସ୍କୃତିକୁ ଦେଶ-ବିଦେଶରେ ପରିଚିତ କରାଯାଉଥିବା ସହ, ଏହା ଆମ ପରିଚୟକୁ ବିଶ୍ୱ ଦରବାରରେ ପ୍ରତିଷ୍ଠିତ କରିବାର ଏକ ସଶକ୍ତ ମାଧ୍ୟମ ବୋଲି ଉଲ୍ଲେଖ କରାଯାଇଥିଲା।

ଏହି କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ, ସମବାୟ, ହସ୍ତତନ୍ତ୍ର ଓ ବୟନ ଶିଳ୍ପ ଶ୍ରୀ ପ୍ରଦୀପ ବଳ ସାମନ୍ତ ଓ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଗୁହା ପୁନମ ତାପସ କୁମାର ଯୋଗଦେଇ ବୟନିକାର ସାତ ଦଶନ୍ଧିର ସଫଳ ଯାତ୍ରାକୁ ଉଦ୍ଧୃତ କରିଥିଲେ ଏବଂ ଆଗାମୀ ଦିନରେ ଏହାର ଅଧିକ ଉନ୍ନତି ପାଇଁ ଆଶା ବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ବୟନିକା ସଭାପତି ଶ୍ରୀ ପ୍ରକାଶ ମେହେର ଓ ରାଜ୍ୟ ସମବାୟ ବ୍ୟାଙ୍କ ର ସଭାପତି ଶ୍ରୀ ଟି ପ୍ରସାଦ ଦୋରା ଯୋଗ ଦେଇଥିବା ଜଣା ପଡ଼ିଛି ।
