ଭୁବନେଶ୍ୱର:ଶନିବାର ସନ୍ଧ୍ୟାରେ ଫାୟାର୍ ଷ୍ଟେସନ୍ ଓଭର୍ ବ୍ରିଜ୍ ଉପରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି lଭୁବନେଶ୍ବର ରସୁଲଗଡ଼ ପଟୁ ଗୋଟିଏ ସ୍କୁଟି ଏବଂ ଅନ୍ୟ ଏକ ବାଇକ୍ରେ ୪ଜଣ ଆସୁଥିଲେ। ଫାୟାର ଷ୍ଟେସନ ସମ୍ମୁଖ ଓଭର ବ୍ରିଜ୍ ଉପରେ ପଛପଟରୁ ଆସୁଥିବା ଏକ ଟ୍ରକ୍ ଉଭୟ ବାଇକ୍ ଏବଂ ସ୍କୁଟିକୁ ଧକ୍କା ଦେଇଥିଲା।ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ଯୁବତୀ ରହିଛନ୍ତି । ଟ୍ରକ ଡ୍ରାଇଭରର ବେପରୁଆ ଡ୍ରାଇଭିଂ ପାଇଁ ଏହି ଦୁର୍ଘଟଣା ଘଟିଥିବା ସ୍ଥାନୀୟ ଲୋକେ କହିଛନ୍ତି । ଖଣ୍ଡଗିରି ଥାନା ପୋଲିସ ଟିମ୍ ପହଞ୍ଚି ମୃତଦେହଗୁଡ଼ିକୁ ଜବତ କରି କ୍ୟାପିଟାଲ ହସ୍ପିଟାଲ ପଠାଇଥିଲେ । ଗୁରୁତର ହୋଇଥିବା ଯୁବତୀଙ୍କ ଚିକିତ୍ସା ଚାଲିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି। ଅନ୍ୟପକ୍ଷରେ ଦୁର୍ଘଟଣା ଘଟାଇ ଟ୍ରକଟି ଖୋର୍ଦ୍ଧା ଅଭିମୁଖେ ଅତ୍ୟଧିକ ବେଗରେ ପଳାଇ ଯାଇଛି । ସିସିଟିଭି ଫୁଟେଜ୍ ଯାଞ୍ଚ କରି ପୋଲିସ ଉକ୍ତ ଟ୍ରକକୁ ଜବତ କରିବାକୁ ପ୍ରୟାସ କରୁଛି । ଦୁର୍ଘଟଣା ପରେ ଓଭରବ୍ରିଜ ଉପରେ ଟ୍ରାଫିକ ଜାମ ହୋଇଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ ଯାତାୟତ ଠପ୍ ରହିଥିଲା । ଟ୍ରାଫିକ ପୁଲିସ ଭିଡ ନିୟନ୍ତ୍ରଣ କରିବା ପରେ ଗାଡି ଚଳାଚଳ ସ୍ବାଭାବିକ ହୋଇଥିଲା।
