ଭୁବନେଶ୍ୱର:ଭୁବନେଶ୍ୱର ସ୍ଥିତ ଏକ ବିଦ୍ୟାଳୟର ସଂପାଦକ ଶ୍ରୀଯୁକ୍ତ ସାମନ୍ତରାୟଙ୍କୁ ଗତ ଶୁକ୍ରବାର ଅପରାହ୍ନରେ ଏକ ଫୋନ୍ କଲ୍ ଆସିଥିଲା। ଫୋନ୍ କରୁଥିବା ମହିଳାଙ୍କ ନାମ ମୋବାଇଲରେ “କଳ୍ପନା ଆରଟିଇ” ବୋଲି ଦର୍ଶାଉଥିଲା। ସେ ନିଜକୁ ଶିକ୍ଷା ବିଭାଗର ଅଧିକାରୀ ବୋଲି ପରିଚୟ ଦେଇ, ଶିକ୍ଷା ଅଧିକାର ଆଇନ ଅନୁସାରେ ପିଲାଙ୍କ ନାମଲେଖା ନ କରାଯାଇଥିବା ନେଇ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଛି।ଅଭିଯୋଗ ଅନୁଯାୟୀ, ମହିଳା ଜଣଙ୍କ ଫୋନ୍ ରେ ଅଶାଳୀନ ଏବଂ ଅଭଦ୍ର ଭାଷା ବ୍ୟବହାର କରି ସ୍କୁଲର ସ୍ୱୀକୃତି ପ୍ରତ୍ୟାହାର କରାଯିବା ସହ ବିଦ୍ୟାଳୟ ବନ୍ଦ କରାଯିବ ବୋଲି ଧମକ ଦେଇଥିଲେ। ସେ ଡିଏଭି ଓ ଜାଭିୟର୍ସ ପରି ବିଦ୍ୟାଳୟଗୁଡ଼ିକ ତୁରନ୍ତ ନାମଲେଖା କରୁଥିବା କଥା କହି ସ୍କୁଲ କର୍ତ୍ତୃପକ୍ଷଙ୍କୁ ଚାପ ପକାଇଥିବା ମଧ୍ୟ ଅଭିଯୋଗରେ ଉଲ୍ଲେଖ ରହିଛି।ସେ ସମୟରେ ଶ୍ରୀଯୁକ୍ତ ସାମନ୍ତରାୟ ନିଜ ମାଆଙ୍କ ଅସ୍ତ୍ରୋପଚାର ପାଇଁ ଡାକ୍ତରଖାନାରେ ଥିଲେ। ସେ ମହିଳାଙ୍କୁ ଜଣାଇଥିଲେ ଯେ ବିଦ୍ୟାଳୟ ସରକାରଙ୍କ ସମସ୍ତ ନୀତିନିୟମ ଅନୁସାରେ ପିଲାଙ୍କ ନାମଲେଖା କରୁଛି ଏବଂ ଏ ସମ୍ପର୍କରେ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ମଧ୍ୟ ଅବଗତ ଅଛନ୍ତି। ପରେ ସେ ହ୍ଵାଟସଆପ୍ ମାଧ୍ୟମରେ ସଂପୃକ୍ତ ଅଧିକାରୀଙ୍କ ନମ୍ବର ଦେଇ ଆଲୋଚନା କରିବାକୁ କହିଥିଲେ ମଧ୍ୟ ମହିଳା ଜଣଙ୍କ ତାହାକୁ ଅସ୍ୱୀକାର କରିଥିଲେ।ପରବର୍ତ୍ତୀ ସମୟରେ ସ୍କୁଲ କର୍ତ୍ତୃପକ୍ଷ ଶିକ୍ଷା ବିଭାଗର ସଚିବ ଓ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଲିଖିତ ଅଭିଯୋଗ କରି ଉକ୍ତ ମହିଳାଙ୍କ ପରିଚୟ ସମ୍ପର୍କରେ ସ୍ପଷ୍ଟିକରଣ ମାଗିଥିଲେ। ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ଯେ “କଳ୍ପନା ଆରଟିଇ” ନାମରେ ଶିକ୍ଷା ବିଭାଗରେ କୌଣସି କର୍ମଚାରୀ ନାହାନ୍ତି।ଏହାପରେ ବିଭାଗ ପକ୍ଷରୁ ଆଇନଗତ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଥିଲା। ବିଭାଗୀୟ ସ୍ପଷ୍ଟୀକରଣ ମିଳିବା ପରେ ଶ୍ରୀଯୁକ୍ତ ସାମନ୍ତରାୟ ଏୟାରଫିଲ୍ଡ ଥାନାରେ ଲିଖିତ ଅଭିଯୋଗ ଦାଖଲ କରି, ଶିକ୍ଷା ବିଭାଗର ମିଥ୍ୟା ପରିଚୟ ଦେଇ ଧମକ ଦେଉଥିବା ମହିଳାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
