ଭୁବନେଶ୍ୱର: ରାଜ୍ୟ ସମବାୟ ନିବନ୍ଧକ କାର୍ଯ୍ୟାଳୟ (RCS Odisha) ପକ୍ଷରୁ ରାଜ୍ୟ ସମବାୟ ୟୁନିଅନକୁ ପଠାଯାଇଥିବା ଏକ ଚିଠିକୁ କେନ୍ଦ୍ର କରି ସମବାୟ ମହଳରେ ଚର୍ଚ୍ଚା ଜୋର ଧରିଛି । ୮/୫/୨୦୨୬ ତାରିଖରେ ଜାରି ହୋଇଥିବା ଚିଠି ନଂ–୮୭୬୪ ରେ ୨୦୧୨ ମସିହାର “ସମବାୟ ସପ୍ତାହ” ପାଳନ ସମୟରେ ପ୍ରକାଶିତ “ସମାଜ” ଖବରକାଗଜର ବକେୟା ବିଲ୍ ସମ୍ପର୍କରେ ଉଲ୍ଲେଖ ରହିଥିବାରୁ ଏହାକୁ ନେଇ ଅନେକ ପ୍ରଶ୍ନ ଉଠିଛି ।ଚିଠିରେ ଯୁଗ୍ମ ନିବନ୍ଧକଙ୍କ ଦସ୍ତଖତ ଥିବାରୁ ଘଟଣାଟି ଆହୁରି ସନ୍ଦେହର କାରଣ ହୋଇଛି । ସମବାୟ ମହଳରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି — ୧୪ ବର୍ଷ ପରେ ହଠାତ୍ ଏହି ବିଲ୍ କାହିଁକି ମନେ ପଡ଼ିଲା ? ଯଦି ପ୍ରକୃତରେ ବକେୟା ରହିଥିଲା, ତେବେ ଏତେ ବର୍ଷ ଧରି କୌଣସି ଦାବି କାହିଁକି କରାଯାଇନଥିଲା ? ଆଉ ଯଦି “ସମାଜ” ପକ୍ଷରୁ କୌଣସି ଅଧିକାରିକ ଅଭିଯୋଗ କିମ୍ବା ଦାବି ନଥିଲା, ତେବେ RCS Odisha କାର୍ଯ୍ୟାଳୟ କେଉଁ ଆଧାରରେ ଏହି ଚିଠି ଜାରି କଲା ?ଏହି ଚିଠି ପାଇବା ପରେ ରାଜ୍ୟ ସମବାୟ ୟୁନିଅନରୁ “ସମବାୟ ସମ୍ବାଦ” ଟିମ ପକ୍ଷରୁ ତଥ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଥିଲା । “ଅପରେସନ ମିଛ ବିଲ” ନାମରେ ହୋଇଥିବା ତଦନ୍ତରୁ ଜଣାପଡ଼ିଛି ଯେ, ସେତେବେଳେ “ସମାଜ” ଖବରକାଗଜ ପାଇଁ ଦେୟ ଅର୍ଥ ରାଜ୍ୟ ସମବାୟ ୟୁନିଅନ ପକ୍ଷରୁ ବ୍ୟାଙ୍କ ଟ୍ରାନ୍ସଫର ମାଧ୍ୟମରେ ପ୍ରଦାନ କରାଯାଇଥିଲା । ତେବେ ଟଙ୍କା ପାଇ ସାରିଥିବା ସତ୍ତ୍ୱେ ପୁଣିଥରେ ସେହି ଅର୍ଥ ଦାବି କରି ଚିଠି ଆସିବା ଅନେକ ସନ୍ଦେହ ସୃଷ୍ଟି କରିଛି ।ସମବାୟ ମହଳରେ ଏବେ ପ୍ରଶ୍ନ ଉଠୁଛି — ରାଜ୍ୟ ସମବାୟ ନିବନ୍ଧକଙ୍କ କାର୍ଯ୍ୟାଳୟ କଣ ଏବେ ବେସରକାରୀ ସଂସ୍ଥାମାନଙ୍କ ବକେୟା ଅର୍ଥ ଆଦାୟ କରିବାର “କଲେକ୍ସନ ଏଜେଣ୍ଟ” ଭାବେ କାମ କରୁଛି କି ? ଯଦି “ସମାଜ” ପକ୍ଷରୁ ସିଧାସଳଖ କୌଣସି ଦାବି ୟୁନିଅନକୁ ଆସିନଥିଲା, ତେବେ କେଉଁ ଆଧାରରେ RCS Odisha ଏହି ପତ୍ର ଜାରି କଲା — ସେଥିପାଇଁ ସ୍ପଷ୍ଟୀକରଣ ଦାବି ହେଉଛି ।ଅନ୍ୟପଟେ, ୧୪ ବର୍ଷ ପୁରୁଣା ରେକର୍ଡ ସମସ୍ତ କାର୍ଯ୍ୟାଳୟରେ ସୁରକ୍ଷିତ ଭାବେ ରହିବା ସବୁବେଳେ ସମ୍ଭବ ହୋଇନଥାଏ । ଏହି ପରିସ୍ଥିତିର ସୁଯୋଗ ନେଇ ପୁଣିଥରେ ଅର୍ଥ ଆଦାୟ କରିବା ପାଇଁ କୌଣସି ଚେଷ୍ଟା ହେଉଛି କି ନାହିଁ, ସେନେଇ ମଧ୍ୟ ସନ୍ଦେହ ପ୍ରକାଶ ପାଉଛି । ସମବାୟ ମହଳର କିଛି ବ୍ୟକ୍ତି ଏହାକୁ “malafide intention” ବୋଲି ଅଭିହିତ କରିଛନ୍ତି ।ଏହି ଘଟଣା ପରେ ରାଜ୍ୟ ସମବାୟ ନିବନ୍ଧକ କାର୍ଯ୍ୟାଳୟର ଭୂମିକା, ଉଦ୍ଦେଶ୍ୟ ଓ ପ୍ରଶାସନିକ ସ୍ୱଚ୍ଛତା ଉପରେ ଗୁରୁତର ପ୍ରଶ୍ନଚିହ୍ନ ସୃଷ୍ଟି ହୋଇଛି । ସମବାୟ ମହଳ ଦାବି କରିଛି ଯେ, ଏହି ଚିଠି କେଉଁ ପରିସ୍ଥିତିରେ ଓ କାହାର ନିର୍ଦ୍ଦେଶରେ ଜାରି ହେଲା, ସେଥିରେ ସଂପୂର୍ଣ୍ଣ ତଦନ୍ତ ସହ ସ୍ପଷ୍ଟୀକରଣ ଆସିବା ଆବଶ୍ୟକ ।
