ମୟୂରଭଞ୍ଜ:ମୟୂରଭଞ୍ଜ ଜିଲ୍ଲାର ବିଭିନ୍ନ ଲାମ୍ପସରେ ହୋଇଥିବା କୋଟି କୋଟି ଟଙ୍କାର ଅନିୟମିତତା ଓ ଆର୍ଥିକ ଦୁର୍ନୀତିକୁ ନେଇ ସମବାୟ ମହଳରେ ଏବେ ଭୟଙ୍କର ଚର୍ଚ୍ଚା। ଅଭିଯୋଗ ହେଉଛି, ସମବାୟ ନିବନ୍ଧକଙ୍କ ଅନୁମୋଦନ ବିନା କିଛି ଲାମ୍ପସରେ ଚାକିରି ଦିଆଯାଇଛି। ଏହାକୁ ନେଇ ସମବାୟ ବ୍ୟବସ୍ଥାର ସ୍ୱଚ୍ଛତା ଉପରେ ଗୁରୁତର ପ୍ରଶ୍ନ ଉଠିଛି।ଚାଷୀଙ୍କ ନାମରେ ଆସୁଥିବା ସରକାରୀ ସହାୟତା, ଧାନ କ୍ରୟ, ସାର ବଣ୍ଟନ ଓ ଋଣ ପ୍ରଦାନରେ ଗୁରୁତର ଅନିୟମିତତା ହୋଇଥିବା ଅଭିଯୋଗ ଦୀର୍ଘଦିନ ଧରି ଆସୁଥିଲେ ମଧ୍ୟ ତଦନ୍ତ ଆଗକୁ ବଢ଼ୁନି।ସମବାୟ ବିଭାଗର କିଛି ବରିଷ୍ଠ ଅଧିକାରୀ ଓ ପ୍ରଭାବଶାଳୀ ବ୍ୟକ୍ତିଙ୍କ ମିଳିତ ସହଯୋଗରେ ଫାଇଲ ଚାପି ଦିଆଯାଉଥିବା ଅଭିଯୋଗ ମଧ୍ୟ ଉଠୁଛି। ଅନେକ ଲାମ୍ପସର ଅଡିଟ ରିପୋର୍ଟରେ ଗୁରୁତର ଆପତ୍ତି ଥିଲେ ମଧ୍ୟ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କୌଣସି କଠୋର ପଦକ୍ଷେପ ଦେଖିବାକୁ ମିଳୁନାହିଁ।ପ୍ରଶ୍ନ ଉଠୁଛି —ଚାଷୀଙ୍କ ଟଙ୍କା ଗଲା କେଉଁଠି?ନିୟମ ବାହାରେ ଚାକିରି ଦିଆଯାଇଛି କାହାକୁ?କାହା ସୁରକ୍ଷାରେ ଚାଲିଛି ଏହି ଦୁର୍ନୀତି?କେବେ ହେବ ନିରପେକ୍ଷ ଭିଜିଲାନ୍ସ କିମ୍ବା କ୍ରାଇମବ୍ରାଞ୍ଚ ତଦନ୍ତ?ସମବାୟ ସଦସ୍ୟ ଓ ଚାଷୀମାନଙ୍କ ଦାବି, ମୟୂରଭଞ୍ଜର ସମସ୍ତ ସନ୍ଦେହଜନକ ଲାମ୍ପସର ଆର୍ଥିକ କାରବାର, ନିଯୁକ୍ତି ପ୍ରକ୍ରିୟା ଓ ଅଡିଟ ଆପତ୍ତିର ଉଚ୍ଚସ୍ତରୀୟ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନିଆଯାଉ।
