ଭୁବନେଶ୍ୱର, ତାରିଖ: ସମବାୟ ବିଭାଗର ଅତିରିକ୍ତ ଶାସନ ସଚିବ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ପ୍ରାଥମିକ କୃଷି ସମବାୟ ସମିତି (PACS) ଓ ସମବାୟ ସଂସ୍ଥାଗୁଡ଼ିକର ପରିଦର୍ଶନ କରି ସେମାନଙ୍କର କାର୍ଯ୍ୟପ୍ରଣାଳୀ, ବ୍ୟବସାୟିକ ସ୍ଥିତି ଓ ସଦସ୍ୟମୁଖୀ କାର୍ଯ୍ୟକ୍ରମ ସମ୍ପର୍କରେ ବ୍ୟାପକ ସମୀକ୍ଷା କରିଛନ୍ତି। ଏହି ଗସ୍ତ ଅବସରରେ ସେ ଗାରେଡ଼ିପାଞ୍ଚଣ, ମାଝୀହାରା, ସରାଟ ଏବଂ ଶିଶୁପାଳଗଡ଼ PACS ସମେତ ବାଲିଅନ୍ତାସ୍ଥିତ RCMS ଗୋଦାମ ଓ ଭୁବନେଶ୍ୱର ସମବାୟ ସୁପରବଜାର ପରିଦର୍ଶନ କରିଥିଲେ।ପରିଦର୍ଶନ ସମୟରେ ଅତିରିକ୍ତ ଶାସନ ସଚିବ ସମିତିଗୁଡ଼ିକର ଆର୍ଥିକ ଅବସ୍ଥା, ସଦସ୍ୟ ସେବା, କୃଷି ଉପକରଣ ବଣ୍ଟନ, ସାର ଓ ବିହନ ସଂରକ୍ଷଣ ବ୍ୟବସ୍ଥା, ଗୋଦାମ ପରିଚାଳନା ଓ ଚାଷୀମାନଙ୍କ ପାଇଁ ଚାଲୁଥିବା ବିଭିନ୍ନ ଯୋଜନା ସମ୍ପର୍କରେ ଅଧିକାରୀ ଏବଂ ସମିତି କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ।ସେ ବିଶେଷ କରି ବିଭାଗର ମୁଖ୍ୟ କାର୍ଯ୍ୟକ୍ରମଗୁଡ଼ିକ ଯଥା ଲାଭାଂଶ ବଣ୍ଟନ, ଆସନ୍ତା ମେଗା ସଦସ୍ୟତା ଅଭିଯାନର ସଫଳ ଆୟୋଜନ, ସମବାୟ ସମିତିମାନଙ୍କର ବ୍ୟବସାୟିକ ବିବିଧକରଣ ଓ ଆତ୍ମନିର୍ଭରତା ଉପରେ ଗୁରୁତ୍ୱ ଦେଇଥିଲେ। ସେ କହିଥିଲେ ଯେ, କେବଳ ପାରମ୍ପରିକ ଋଣ ଓ ସାର ବଣ୍ଟନ କାର୍ଯ୍ୟରେ ସୀମିତ ନ ରହି ସମିତିଗୁଡ଼ିକୁ ନୂତନ ବ୍ୟବସାୟିକ କ୍ଷେତ୍ରରେ ପ୍ରବେଶ କରିବାକୁ ପଡ଼ିବ, ଯାହା ଦ୍ୱାରା ସଦସ୍ୟ ଓ ଚାଷୀମାନେ ଅଧିକ ସୁବିଧା ପାଇପାରିବେ।ଆଗାମୀ ଚାଷ ଋତୁକୁ ଦୃଷ୍ଟିରେ ରଖି ସାରର ଆଗୁଆ ମହଜୁଦ, ସଠିକ ସଂରକ୍ଷଣ ଓ ସମୟୋପଯୋଗୀ ବଣ୍ଟନ ବ୍ୟବସ୍ଥାକୁ ସୁଦୃଢ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ସେହିପରି ବିହନ ବ୍ୟବସାୟର ସୁପରିଚାଳନା ଓ ଉତ୍ତମ ମାନର ବିହନ ଚାଷୀମାନଙ୍କ ପାଖରେ ସମୟରେ ପହଞ୍ଚିବା ନିମନ୍ତେ ସମିତିଗୁଡ଼ିକୁ ସଚେତନ ଓ ସକ୍ରିୟ ରହିବାକୁ ପରାମର୍ଶ ଦେଇଥିଲେ।ବାଲିଅନ୍ତାସ୍ଥିତ RCMS ଗୋଦାମ ପରିଦର୍ଶନ ସମୟରେ ସେ ଗୋଦାମର ସଂରକ୍ଷଣ କ୍ଷମତା, ସୁରକ୍ଷା ବ୍ୟବସ୍ଥା ଓ ସାମଗ୍ରୀ ପରିଚାଳନା ବିଷୟରେ ସମୀକ୍ଷା କରିଥିଲେ। ଭୁବନେଶ୍ୱର ସମବାୟ ସୁପରବଜାରରେ ସେ ଉପଭୋକ୍ତା ସେବା, ବିକ୍ରୟ ପ୍ରଣାଳୀ ଓ ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ସୁବିଧାଗୁଡ଼ିକୁ ଅନୁଧ୍ୟାନ କରିଥିଲେ।ଏହି ଗସ୍ତ ସମୟରେ ବିଭାଗୀୟ ଅଧିକାରୀ, ସମିତିର ସଭାପତି, ସମ୍ପାଦକ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ସମବାୟ ବ୍ୟବସ୍ଥାକୁ ଆହୁରି ସୁଦୃଢ, ସଦସ୍ୟମୁଖୀ ଓ ଆର୍ଥିକ ଭାବେ ସକ୍ଷମ କରିବା ଦିଗରେ ଏହି ପରିଦର୍ଶନ ଗୁରୁତ୍ୱପୂର୍ଣ୍ଣ ହେବ ବୋଲି ମତ ପ୍ରକାଶ ପାଇଛି।
