ବଲାଙ୍ଗିର:ବଲାଙ୍ଗିର ଜିଲ୍ଲାପାଳଙ୍କ ନାମରେ ସଙ୍ଗୀନ ଅଭିଯୋଗ ଆଣିଲେ କୋସଲବାଦୀ ସଂଗଠନ । କ୍ଷମା ନ ମାଗିଲେ ଆନ୍ଦୋଳନ କରିବା ନେଇ ସଂଗଠନ ପକ୍ଷରୁ ଦିଆଯାଇଛି ଚେତାବନୀ ।ଉଲ୍ଲେଖଯୋଗ୍ୟ ଯେ, ଗତ ୨୫ ତାରିଖରେ ଆଗଲପୁର ବ୍ଲକ୍ କାର୍ଯ୍ୟାଳୟରେ ଜିଲ୍ଲାପାଳ ଏବଂ ଏସପିଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ହୋଇଥିଲା । ସେଠାରେ ୮୫ ବର୍ଷୀୟ ବରିଷ୍ଠ ନାଗରିକ, ପୂର୍ବତନ ସାଂସଦ ତଥା କୋସଲ ଆନ୍ଦୋଳନର ପୁରୋଧା ବାଲଗୋପାଳ ମିଶ୍ରଙ୍କୁ ଅସମ୍ମାନ ପ୍ରଦର୍ଶନ କରାଯାଇଥିଲା । ଏପରିକି ତାଙ୍କୁ ଏକ ଚୌକି ଦେବା ପରିବର୍ତ୍ତେ ଦୀର୍ଘସମୟ ଧରି ଠିଆ କରାଇ ଆଲୋଚନା କରିଥିଲେ । ଏହାକୁ କୋସଲାଞ୍ଚଳର ସମସ୍ତ କୋସଲବାଦୀ ସଂଗଠନ ପକ୍ଷରୁ ତୀବ୍ର ନିନ୍ଦା କରାଯାଇଛି । ଏହି ପ୍ରସଙ୍ଗରେ ମିଳିତ କୋସଲବାଦୀ ସଂଗଠନ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ କରାଯାଇ ଏହାକୁ ନିନ୍ଦା କରାଯାଇଛି । ଉକ୍ତ ଅସମ୍ମାନ କେବଳ ଜଣେ ବ୍ୟକ୍ତିଙ୍କୁ ନୁହେଁ ବରଂ ପଶ୍ଚିମ ଓଡ଼ିଶାର ଜନମାନସ, କୋସଲାଞ୍ଚଳର ସ୍ବାଭିମାନ ଓ ସାମାଜିକ ମୂଲ୍ୟବୋଧ ଉପରେ ସିଧାସଳଖ ଆଘାତ ଦେବା ସହ ସମାନ ବୋଲି ଅଭିଯୋଗ କରାଯାଇଛି । ସଂଗଠନ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି ଯେ, ବାଲଗୋପାଳ ମିଶ୍ର କେବଳ ଜଣେ ପୂର୍ବତନ ସାଂସଦ କିମ୍ବା ବିଧାୟକ ନୁହେଁ, ସେ କୋସଲ ଆନ୍ଦୋଳନର ଜଣେ ପ୍ରମୁଖ ପୁରୋଧା, ଯିଏ କୋସଲାଞ୍ଚଳର ଅଧିକାର, ଭାଷା, ସଂସ୍କୃତି ଓ ସମ୍ମାନ ପାଇଁ ନିଜ ଜୀବନକୁ ବାଜି ଲଗାଇଛନ୍ତି । ଏପରିକି ସେ ଜଣେ ବୟୋଜ୍ୟେଷ୍ଠ ଓ ସମ୍ମାନନୀୟ ବ୍ୟକ୍ତିଙ୍କ ସହ ଅସମ୍ବେଦନଶୀଳ ବ୍ୟବହାର କରାଯିବା ଅତ୍ୟନ୍ତ ଦୁଃଖଦ ଓ ନିନ୍ଦନୀୟ ।
