ଭୁବନେଶ୍ୱର: ଭାରତ ସରକାରଙ୍କ ସମବାୟ ମନ୍ତ୍ରଣାଳୟର ୫ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶରେ ବ୍ୟାପକ କାର୍ଯ୍ୟକ୍ରମ ପାଳନ ପାଇଁ ପ୍ରସ୍ତୁତି ଜୋରଦାର ହୋଇଛି। “ସହକାର ସେ ସମୃଦ୍ଧି (Sahkar Se Samriddhi)” ମୂଳମନ୍ତ୍ରକୁ ନେଇ ଏହି ଉତ୍ସବ ସପ୍ତାହବ୍ୟାପୀ ଭାବେ ପାଳନ କରାଯିବ ବୋଲି ସୂଚନା ମିଳିଛି।ଏହି ଅବସରରେ ଦେଶର ସମସ୍ତ ସମବାୟ ଅନୁଷ୍ଠାନକୁ ଆକର୍ଷଣୀୟ ଆଲୋକମାଳାରେ ସଜାଯିବ। ପ୍ରାଥମିକ କୃଷି ଋଣ ସମିତି (PACS) ଠାରୁ ଆରମ୍ଭ କରି ରାଜ୍ୟ ଓ ଜାତୀୟ ସ୍ତରର ଆପେକ୍ସ ସମବାୟ ସଂସ୍ଥା ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନ ଆଲୋକରେ ଝଲମଲ କରିବ।ଏହି କାର୍ଯ୍ୟକ୍ରମର ସଫଳ ଆୟୋଜନ ପାଇଁ ବିଭିନ୍ନ ସ୍ତରରେ ଘନଘନ ବୈଠକ ଚାଲିଛି। କେନ୍ଦ୍ର ଓ ରାଜ୍ୟ ସ୍ତରର ଅଧିକାରୀମାନେ କାର୍ଯ୍ୟକ୍ରମର ରୂପରେଖା ଓ ସମନ୍ୱୟ ନେଇ ଆଲୋଚନା କରୁଛନ୍ତି। ଓଡ଼ିଶାରେ ଏହି ଉତ୍ସବ ପାଳନ ପାଇଁ ଚୂଡ଼ାନ୍ତ କାର୍ଯ୍ୟସୂଚୀ ଆସନ୍ତା ୯ ତାରିଖ ସୁଦ୍ଧା ପ୍ରକାଶ ପାଇପାରେ ବୋଲି ସୂତ୍ରରୁ ଜଣାପଡ଼ିଛି।ସପ୍ତାହବ୍ୟାପୀ ଏହି ଉତ୍ସବରେ ସମବାୟ ସଚେତନତା କାର୍ଯ୍ୟକ୍ରମ, ସମ୍ମିଳନୀ, ପ୍ରଶିକ୍ଷଣ ଶିବିର, ସଫଳ ସମବାୟ ସଂସ୍ଥାଙ୍କୁ ସମ୍ମାନ, ଚାଷୀ ଓ ସଦସ୍ୟ ସମାବେଶ ସହ ବିଭିନ୍ନ ଜନସମ୍ପର୍କ କାର୍ଯ୍ୟକ୍ରମ ଆୟୋଜନ ହେବାର ସମ୍ଭାବନା ରହିଛି।ସମବାୟ ଆନ୍ଦୋଳନକୁ ଅଧିକ ଶକ୍ତିଶାଳୀ କରି ଗ୍ରାମୀଣ ଅର୍ଥନୀତିର ବିକାଶ ଏବଂ ସଦସ୍ୟମାନଙ୍କ ଆର୍ଥିକ ସଶକ୍ତିକରଣ ଲକ୍ଷ୍ୟରେ ସମବାୟ ମନ୍ତ୍ରଣାଳୟ ଗତ ପାଞ୍ଚ ବର୍ଷ ଧରି ବିଭିନ୍ନ ପଦକ୍ଷେପ ଗ୍ରହଣ କରିଆସୁଛି। ଏହି ୫ ବର୍ଷ ପୂର୍ତ୍ତି ଉତ୍ସବ ସମବାୟ କ୍ଷେତ୍ର ପାଇଁ ଏକ ନୂଆ ଉତ୍ସାହ ଓ ପ୍ରେରଣାର ସନ୍ଦେଶ ନେଇ ଆସିବ ବୋଲି ଆଶା କରାଯାଉଛି।“ସହକାର ସେ ସମୃଦ୍ଧି” — ସମବାୟ ମାଧ୍ୟମରେ ସମୃଦ୍ଧ ଭାରତ ଗଠନର ସଂକଳ୍ପକୁ ଆହୁରି ଦୃଢ଼ କରିବ ଏହି ୫ ବର୍ଷ ପୂର୍ତ୍ତି ଉତ୍ସବ।
