ଭୁବନେଶ୍ୱର, ରାଜ୍ୟର ସମବାୟ କ୍ଷେତ୍ରରେ ଏବେ ଏକ ଗୁରୁତର ପ୍ରଶ୍ନ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଯେଉଁ ସଂସ୍ଥାର ବୈଧତା, ବିଶ୍ୱସନୀୟତା ଓ ଆଇନଗତ ସ୍ଥିତିକୁ ନେଇ ବିଭିନ୍ନ ମହଳରେ ପ୍ରଶ୍ନ ଉଠୁଛି, ସେହି ସଂସ୍ଥାକୁ “Cooperative Managementଭଳି ଗୁରୁତ୍ୱପୂର୍ଣ୍ଣ ବିଷୟରେ ପ୍ରଶିକ୍ଷଣ ଓ ପାଠଦାନ କରିବା ପାଇଁ ଅନୁମତି କିଏ ଦେଲା, ତାହାକୁ ନେଇ ସମବାୟ ମହଳରେ ଅସନ୍ତୋଷ ଓ ସନ୍ଦେହ ଦେଖାଦେଇଛି।ସମବାୟ କ୍ଷେତ୍ର ହେଉଛି ଲୋକଙ୍କ ବିଶ୍ୱାସ, ସ୍ୱଚ୍ଛତା ଓ ଗଣତାନ୍ତ୍ରିକ ମୂଲ୍ୟବୋଧର ଏକ ମଜବୁତ ଭିତ୍ତି। ଏହି କ୍ଷେତ୍ରରେ ପ୍ରଶିକ୍ଷଣ ପ୍ରଦାନ କରୁଥିବା କୌଣସି ସଂସ୍ଥାର ଯୋଗ୍ୟତା, ଅନୁଭବ, ସ୍ୱୀକୃତି ଏବଂ ଆଇନଗତ ସ୍ଥିତି ସନ୍ଦର୍ଭରେ ସଠିକ୍ ଯାଞ୍ଚ ହେବା ଆବଶ୍ୟକ। କିନ୍ତୁ ଏହି ମାମଲାରେ ସେଭଳି ଯାଞ୍ଚ ହୋଇଥିଲା କି ନାହିଁ, ତାହାକୁ ନେଇ ଅନେକ ପ୍ରଶ୍ନ ଉଠିଛି।ସମବାୟ ବିଭାଗର ସମ୍ପୃକ୍ତ ଅଧିକାରୀମାନେ ସଂସ୍ଥାର ପୃଷ୍ଠଭୂମି ଯାଞ୍ଚ କରିଥିଲେ କି? ସଂସ୍ଥାଟି ପ୍ରଶିକ୍ଷଣ ଦେବା ପାଇଁ ଆବଶ୍ୟକ ସ୍ୱୀକୃତି ଓ ଦକ୍ଷତା ରଖିଛି କି? ଏହାର ଆର୍ଥିକ ଓ ପ୍ରଶାସନିକ ରେକର୍ଡ ଯାଞ୍ଚ କରାଯାଇଥିଲା କି? ଏହି ସମସ୍ତ ପ୍ରଶ୍ନର ଉତ୍ତର ଆଜି ସାଧାରଣ ଲୋକ ଓ ସମବାୟ କର୍ମୀମାନେ ଜାଣିବାକୁ ଚାହୁଁଛନ୍ତି।ଯଦି ସମସ୍ତ ପ୍ରକ୍ରିୟା ନିୟମାନୁସାରେ ହୋଇଥାଏ, ତେବେ ସମ୍ପୃକ୍ତ ଦଲିଲ, ଅନୁମୋଦନ ପତ୍ର ଓ ଯାଞ୍ଚ ରିପୋର୍ଟକୁ ସାର୍ବଜନୀନ କରାଯିବା ଉଚିତ। ଏହା ଦ୍ୱାରା ସନ୍ଦେହ ଦୂର ହେବ ଏବଂ ବିଭାଗର ସ୍ୱଚ୍ଛତା ପ୍ରତି ଲୋକଙ୍କ ବିଶ୍ୱାସ ମଜବୁତ ହେବ। କିନ୍ତୁ ଯଦି ନିୟମ ବାହାରେ କିମ୍ବା ଅନୁଚିତ ଭାବରେ କୌଣସି ଅନୁମତି ଦିଆଯାଇଥାଏ, ତେବେ ତାହା ପାଇଁ ଦାୟୀ କିଏ ଏବଂ ସେମାନଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ନିଆଯିବ, ସେଥିରେ ମଧ୍ୟ ସ୍ପଷ୍ଟତା ଆସିବା ଆବଶ୍ୟକ।ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି, ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସହ ଜଡିତ ଛାତ୍ରଛାତ୍ରୀ ଓ ପ୍ରଶିକ୍ଷାର୍ଥୀଙ୍କ ଭବିଷ୍ୟତ। ଯଦି ପ୍ରଶିକ୍ଷଣ ପ୍ରଦାନକାରୀ ସଂସ୍ଥାର ବୈଧତା ନେଇ ପ୍ରଶ୍ନ ଥାଏ, ତେବେ ସେହି ପ୍ରଶିକ୍ଷଣର ମୂଲ୍ୟ ଓ ଭବିଷ୍ୟତରେ ତାହାର ଗ୍ରହଣଯୋଗ୍ୟତା ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହେବ। ଏହା ଶତାଧିକ ଯୁବକ-ଯୁବତୀଙ୍କ କ୍ୟାରିୟର ଉପରେ ପ୍ରଭାବ ପକାଇପାରେ।ସମବାୟ ଆନ୍ଦୋଳନର ମୂଳ ଉଦ୍ଦେଶ୍ୟ ହେଉଛି ସଦସ୍ୟମାନଙ୍କ ଆର୍ଥିକ ଓ ସାମାଜିକ ଉନ୍ନତି ସହ ସ୍ୱଚ୍ଛ ପ୍ରଶାସନକୁ ସୁନିଶ୍ଚିତ କରିବା। କିନ୍ତୁ ଯଦି ସନ୍ଦେହଜନକ ସଂସ୍ଥାମାନଙ୍କୁ ଗୁରୁତ୍ୱପୂର୍ଣ୍ଣ ପ୍ରଶିକ୍ଷଣ କାର୍ଯ୍ୟ ଦିଆଯାଏ ଏବଂ ବିଭାଗୀୟ ଅଧିକାରୀମାନେ ଏହା ଉପରେ ନୀରବ ରୁହନ୍ତି, ତେବେ ତାହା ସମବାୟ ବ୍ୟବସ୍ଥାର ବିଶ୍ୱସନୀୟତା ଉପରେ ଗଭୀର ପ୍ରଶ୍ନଚିହ୍ନ ସୃଷ୍ଟି କରିବ।ତେଣୁ ଏହି ସମ୍ପୂର୍ଣ୍ଣ ଘଟଣାର ନିରପେକ୍ଷ ଓ ସ୍ୱଚ୍ଛ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ ଆଇନାନୁଗ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସମବାୟବିତ ମହଳରୁ ଦାବି ଉଠିଛି।
