ଭୁବନେଶ୍ୱର:ଗତକାଲି ରାଜ୍ୟ ସମବାୟ ବ୍ୟାଙ୍କର ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ରାଜ୍ୟର ସମବାୟ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳ ସାମନ୍ତ ଉପସ୍ଥିତ ରହିଥିବା ଜଣାପଡ଼ିଛି। ତେବେ ବ୍ୟାଙ୍କର ପରିଚାଳନା ନିର୍ଦ୍ଦେଶକ (MD) ବୈଠକରେ ଯୋଗ ନ ଦେବା ଘଟଣାକୁ ନେଇ ସମବାୟ ମହଳରେ ବିଭିନ୍ନ ପ୍ରଶ୍ନ ଉଠିଛି।ସୂଚନା ଅନୁସାରେ, କିଛି ଦିନ ତଳେ ଆୟୋଜିତ ବ୍ୟାଙ୍କର ଅନ୍ୟ ଏକ କାର୍ଯ୍ୟକ୍ରମରେ ମଧ୍ୟ ପରିଚାଳନା ନିର୍ଦ୍ଦେଶକ ଉପସ୍ଥିତ ରହି ନଥିଲେ। ସେତେବେଳେ ଦଳୀୟ ଉଦ୍ଘାଟନ କାର୍ଯ୍ୟକ୍ରମ କହି ଅନୁପସ୍ଥିତ ରହିଥିବା କୁହା ଯାଇଥିଲା। ଏବେ ପୁଣି ପରିଚାଳନା କମିଟିର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅନୁପସ୍ଥିତ ରହିବା ଘଟଣା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି।ସମବାୟ କ୍ଷେତ୍ରରେ ଆଲୋଚନା ହେଉଛି ଯେ, ସତରେ କି ରେଜିଷ୍ଟ୍ରାର, କୋ-ଅପରେଟିଭ ସୋସାଇଟିଜ୍ (RCS), ଓଡ଼ିଶାଙ୍କର ଅନ୍ୟ କୌଣସି ଜରୁରୀ କାର୍ଯ୍ୟ ଥିଲା, ନା ଜାଣିଶୁଣି ଏଭଳି ବୈଠକ ଗୁଡ଼ିକୁ ଏଡ଼ାଇ ଯାଉଛନ୍ତି? ବର୍ତ୍ତମାନ RCS, Odisha ରାଜ୍ୟ ସମବାୟ ବ୍ୟାଙ୍କର ଦାୟିତ୍ୱରେ ଥିବାବେଳେ ତାଙ୍କର ଅନୁପସ୍ଥିତି ପ୍ରଶାସନିକ ଗୁରୁତ୍ୱ ନେଇ ପ୍ରଶ୍ନ ସୃଷ୍ଟି କରିଛି।ରାଜ୍ୟ ସମବାୟ ବ୍ୟାଙ୍କ ଉପରେ ଓଡ଼ିଶାର ଲକ୍ଷ ଲକ୍ଷ ଚାଷୀଙ୍କ ଭବିଷ୍ୟତ ନିର୍ଭର କରୁଛି। ଚାଷ ଋଣ ବଣ୍ଟନ, କେନ୍ଦ୍ର ସମବାୟ ବ୍ୟାଙ୍କ ଗୁଡ଼ିକର ଆର୍ଥିକ ସ୍ଥିତି ଓ ଗ୍ରାମୀଣ ଋଣ ବ୍ୟବସ୍ଥାର ମୂଳ କେନ୍ଦ୍ରବିନ୍ଦୁ ହେଉଛି ଏହି ବ୍ୟାଙ୍କ। କିନ୍ତୁ ଦୀର୍ଘଦିନ ଧରି ବ୍ୟାଙ୍କର କାର୍ଯ୍ୟଦକ୍ଷତାକୁ ନେଇ ଅସନ୍ତୋଷ ପ୍ରକାଶ ପାଉଥିବାବେଳେ ଅନେକ କେନ୍ଦ୍ର ସମବାୟ ବ୍ୟାଙ୍କ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଥିବା କୁହାଯାଉଛି।ଗତକାଲିର ବୈଠକକୁ ନେଇ ରାଜ୍ୟର ଚାଷୀମାନଙ୍କ ମଧ୍ୟରେ ବହୁ ଆଶା ଥିଲା। ବିଶେଷକରି ଖରିଫ ଋତୁ ପାଇଁ ଚାଷ ଋଣ ମଞ୍ଜୁରୀ ସମ୍ପର୍କରେ କୌଣସି ସ୍ପଷ୍ଟ ନିଷ୍ପତ୍ତି ବାହାରିବ ବୋଲି ଆଶା କରାଯାଉଥିଲା। ମାତ୍ର ବୈଠକ ପରେ ସେଭଳି କୌଣସି ଘୋଷଣା ନ ହେବାରୁ ଚାଷୀ ମହଳରେ ନିରାଶା ଦେଖାଦେଇଛି।ଏହି ପରିପ୍ରେକ୍ଷୀରେ କେତେକ କେନ୍ଦ୍ର ସମବାୟ ବ୍ୟାଙ୍କ ପକ୍ଷରୁ ମଧ୍ୟ ଅସନ୍ତୋଷର ସ୍ୱର ଶୁଣିବାକୁ ମିଳୁଛି। ଆଇନଗତ ଭାବେ ସମ୍ଭବ ହେଲେ ଭବିଷ୍ୟତରେ ନାବାର୍ଡରେ ଅର୍ଥ ରଖିବା ବିକଳ୍ପ ଉପରେ ବିଚାର କରାଯିବ ବୋଲି କିଛି ମହଳରେ ଆଲୋଚନା ହେଉଥିବା ଜଣାପଡ଼ିଛି। ଏପରି ସ୍ଥିତିରେ ରାଜ୍ୟ ସମବାୟ ବ୍ୟାଙ୍କର ଭୂମିକା ଓ କାର୍ଯ୍ୟ କ୍ଷମତାକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ ବୋଲି ମତ ପ୍ରକାଶ ପାଉଛି।ଅନ୍ୟପକ୍ଷରେ, ରାଜ୍ୟର ସମବାୟ ମନ୍ତ୍ରୀ ସ୍ୱୟଂ ବୈଠକରେ ଉପସ୍ଥିତ ଥିବା ସତ୍ତ୍ୱେ ପରିଚାଳନା ନିର୍ଦ୍ଦେଶକଙ୍କ ଅନୁପସ୍ଥିତି ପ୍ରଶାସନିକ ସମନ୍ୱୟ ଉପରେ ପ୍ରଶ୍ନ ଉଠାଇଛି। ସମବାୟ କ୍ଷେତ୍ରର ଅନେକ ସଦସ୍ୟ ମତ ଦେଇଛନ୍ତି ଯେ, ଏପରି ସମ୍ବେଦନଶୀଳ ଓ ଚାଷୀ-କେନ୍ଦ୍ରିକ ସଂସ୍ଥାରେ ନେତୃତ୍ୱ ସ୍ତରର କାର୍ଯ୍ୟାନୁଷ୍ଠାନ ଅତ୍ୟନ୍ତ ଜରୁରୀ।ବର୍ତ୍ତମାନ ଚାଷୀ, ସମବାୟ କର୍ମୀ ଓ ସାଧାରଣ ସଦସ୍ୟଙ୍କ ମଧ୍ୟରେ ଗୋଟିଏ ପ୍ରଶ୍ନ ଚର୍ଚ୍ଚାର ବିଷୟ ପାଲଟିଛି—ରାଜ୍ୟ ସମବାୟ ବ୍ୟାଙ୍କରେ ସବୁକିଛି ସ୍ୱାଭାବିକ ଚାଲିଛି ତ, ନା ଏହାର ଆଢୁଆଳ ରେ ଅନ୍ୟ କିଛି ଲୁଚି ରହିଛି ? ସମୟ ହିଁ ଏହାର ଉତ୍ତର ଦେବ।
