ଭୁବନେଶ୍ୱର:ରାଜଧାନୀ ଭୁବନେଶ୍ୱରର ୫୭ ନମ୍ବର ୱାର୍ଡ ଆଜି ମଧ୍ୟ ବିକାଶର ମୌଳିକ ସୁବିଧାରୁ ବଞ୍ଚିତ ରହିଛି। ସହରର ଅନ୍ୟାନ୍ୟ ୱାର୍ଡରେ ଯେଉଁଠାରେ ବଜାର, ମେଡିକାଲ, ରାସ୍ତାଘାଟ, ଡ୍ରେନେଜ ଏବଂ ଅନ୍ୟାନ୍ୟ ଜନସେବାମୂଳକ ସୁବିଧାର ବିକାଶ ହୋଇଛି, ସେଠାରେ ୫୭ ନମ୍ବର ୱାର୍ଡର ଲୋକମାନେ ଆଜି ମଧ୍ୟ ମୌଳିକ ସୁବିଧା ପାଇଁ ସଂଘର୍ଷ କରୁଛନ୍ତି।ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଅନୁସାରେ, ୱାର୍ଡରେ ଗୋଟିଏ ସୁବ୍ୟବସ୍ଥିତ ମାର୍କେଟ ନାହିଁ କିମ୍ବା ଲୋକଙ୍କ ଆବଶ୍ୟକତା ପୂରଣ ପାଇଁ ମେଡିକାଲ ସୁବିଧା ମଧ୍ୟ ଉପଲବ୍ଧ ନାହିଁ। ପ୍ରତିଦିନ ହଜାର ହଜାର ଲୋକଙ୍କୁ ସାମାନ୍ୟ ଆଳୁ କିଣିବା ପାଇଁ ଅନ୍ୟ ୱାର୍ଡ କୁ ଓ ଦୂରକୁ ଯିବାକୁ ପଡ଼ୁଛି। ରାଜଧାନୀର ଏକ ଗୁରୁତ୍ୱପୂର୍ଣ୍ଣ ୱାର୍ଡ ବଡଗଡ ବ୍ରିଟ । ୱାର୍ଡ ର ଅବସ୍ଥା ଅନେକ ଗ୍ରାମାଞ୍ଚଳ ଠାରୁ ମଧ୍ୟ ପଛରେ ଥିବା ଭଳି ଲାଗୁଛି।ରାଜ୍ୟରେ ବିଜେପି ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ହୋଇଥିବା ବେଳେ ୱାର୍ଡବାସୀ ପ୍ରଶ୍ନ କରିଛନ୍ତି ଯେ, ଏହି ସମୟ ମଧ୍ୟରେ ସେମାନଙ୍କ ଅଞ୍ଚଳ ପାଇଁ କୌଣସି ଦୃଶ୍ୟମାନ ବିକାଶମୂଳକ କାର୍ଯ୍ୟ କାହିଁକି ହୋଇନାହିଁ। ଏକ୍ରମ୍ ନିର୍ବାଚନ ମଣ୍ଡଳୀ ରେ ବିଧାୟକ ବାବୁ ସିଂ କୁ ଜିତେଇବା ପାଈଁ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ ।ନିର୍ବାଚନ ସମୟରେ ବିକାଶର ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହା ବାସ୍ତବ ରୂପ ନେଇ ପାରିନାହିଁ। ସ୍ଥାନୀୟ ଲୋକଙ୍କ ମତରେ, ବିଧାୟକଙ୍କ ଉପସ୍ଥିତି ଅଧିକାଂଶ ସମୟରେ ସାମାଜିକ କାର୍ଯ୍ୟକ୍ରମ, ବାହାଘର ଓ ବ୍ରତଘର ମଧ୍ୟରେ ସୀମିତ ରହିଯାଇଛି, କିନ୍ତୁ ଅଞ୍ଚଳର ମୌଳିକ ସମସ୍ୟାର ସମାଧାନ ଦିଗରେ ସେଭଳି କୌଣସି ପଦକ୍ଷେପ ଦେଖିବାକୁ ମିଳିନାହିଁ।ଏହି ୱାର୍ଡରେ ପ୍ରାୟ ୨୦୦୦ ପରିବାର ବସବାସ କରୁଥିବା ବେଳେ ଅଧିକାଂଶ ପରିବାର ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସି ଏଠାରେ ରହୁଛନ୍ତି। ସେମାନେ ଭୁବନେଶ୍ୱରର ଉନ୍ନତିରେ ଅବଦାନ ରଖୁଥିଲେ ମଧ୍ୟ ନିଜ ଅଞ୍ଚଳର ଉନ୍ନତିରୁ ବଞ୍ଚିତ ରହିଛନ୍ତି। ରାଜନୈତିକ ସ୍ୱାର୍ଥ ପାଇଁ ୱାର୍ଡର ସୀମା ପରିବର୍ତ୍ତନ କିମ୍ବା ଭାଗ ବଣ୍ଟାକୁ ନେଇ ମଧ୍ୟ ଲୋକଙ୍କ ମନରେ ଅସନ୍ତୋଷ ଓ ଆଶଙ୍କା ରହିଛି।ଏହି ପରିପ୍ରେକ୍ଷୀରେ ଯୁବ ପିଢ଼ିଙ୍କ ମଧ୍ୟରେ ଏକ ନୂଆ ଜାଗରଣ ସୃଷ୍ଟି ହୋଇଛି। “ବଡ଼ଗଡ ଯୁବଶକ୍ତି” ନାମକ ଏକ ସଂଗଠନ ଗଠିତ ହୋଇ ୱାର୍ଡର ଉନ୍ନତି, ମୌଳିକ ସୁବିଧାର ଦାବି ଏବଂ ଜନସ୍ୱାର୍ଥ ସମସ୍ୟାର ସମାଧାନ ପାଇଁ ଆନ୍ଦୋଳନ ଆରମ୍ଭ କରିବାକୁ ଘୋଷଣା କରିଛି।ସଂଗଠନର ସଦସ୍ୟମାନେ କହିଛନ୍ତି ଯେ, ଏହା କୌଣସି ରାଜନୈତିକ ଦଳ ବିରୋଧୀ ଆନ୍ଦୋଳନ ନୁହେଁ, ବରଂ ନିଜ ଅଧିକାର ଓ ଅଞ୍ଚଳର ବିକାଶ ପାଇଁ ଏକ ଗଣ ଆନ୍ଦୋଳନ। ଆଗାମୀ ଦିନରେ ୱାର୍ଡର ବିଭିନ୍ନ ସମସ୍ୟାକୁ ନେଇ ଜନଜାଗରଣ, ସ୍ୱାକ୍ଷର ଅଭିଯାନ ଓ ଗଣଦାବି କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ସ୍ଥାନୀୟ ବାସିନ୍ଦା ଶ୍ରୀ ରଞ୍ଜନ କୁମାର ଦାସ ଏକ ପ୍ରେସ ବିଜ୍ଞପ୍ତି ରେ ଜଣାଇଛନ୍ତି ।”ଆମ ହକ ପାଇଁ ଆମେ ଲଢ଼ିବା, ଆମ ୱାର୍ଡର ବିକାଶ ପାଇଁ ଆମେ ସ୍ୱର ଉଠାଇବା”—ଏହି ସ୍ଲୋଗାନ ସହ ବଡ଼ଗଡ ଯୁବଶକ୍ତି ପରିବର୍ତ୍ତନର ଏକ ନୂଆ ଅଧ୍ୟାୟ ଆରମ୍ଭ କରିବାକୁ ସଂକଳ୍ପବଦ୍ଧ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।
