ଭୁବନେଶ୍ୱର: ଓଡ଼ିଶା ରାଜ୍ୟ ସମବାୟ ୟୁନିଅନ ଆନୁକୂଳ୍ୟରେ ରଜ ମହୋତ୍ସବ–୨୦୨୬ ମହା ଆଡମ୍ବର ଓ ଉତ୍ସାହର ସହିତ ପାଳିତ ହୋଇଯାଇଛି। ସମବାୟ ଶିକ୍ଷା, ତାଲିମ, ପ୍ରଚାର ଓ ପ୍ରସାର କ୍ଷେତ୍ରରେ ଅଗ୍ରଣୀ ଭୂମିକା ନେଇଆସୁଥିବା ଓଡ଼ିଶା ରାଜ୍ୟ ସମବାୟ ୟୁନିଅନ ଏଥର ଓଡ଼ିଆ ସଂସ୍କୃତି, ଭାଇଚାରା ଓ ଅସ୍ମିତାକୁ ଆଗକୁ ନେବା ପାଇଁ ଏକ ନୂତନ ଓ ଅଭିନବ ପ୍ରୟାସ ଭାବେ ରଜ ମହୋତ୍ସବର ଆୟୋଜନ କରିଥିଲା।ଏହି ଅବସରରେ ୟୁନିଅନ ପକ୍ଷରୁ ନାରୀ ସଶକ୍ତିକରଣକୁ ପ୍ରାଧାନ୍ୟ ଦେଇ ଏକ ସକାରାତ୍ମକ ବାର୍ତ୍ତା ପ୍ରଦାନ କରାଯାଇଥିଲା। ରଜ ମହୋତ୍ସବ ମାଧ୍ୟମରେ ସମବାୟ ଆନ୍ଦୋଳନରେ ମହିଳାଙ୍କ ସକ୍ରିୟ ଭୂମିକା ଓ ନେତୃତ୍ୱକୁ ସମ୍ମାନ ଜଣାଇ ଏକ ନୂଆ ଅଧ୍ୟାୟର ସୂଚନା ଦିଆଯାଇଥିଲା। ଏହି ମହୋତ୍ସବକୁ ସଫଳ ରୂପାୟନ କରିବାରେ ଓଡ଼ିଶା ରାଜ୍ୟ ସମବାୟ ୟୁନିଅନର ସଭାପତି ଶ୍ରୀମତୀ ପ୍ରଭାସିନୀ ଷଡ଼ଙ୍ଗୀଙ୍କ ଭୂମିକା ପ୍ରଶଂସନୀୟ ରହିଥିଲା।କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ରଜ ଗୀତ, ଏକକ ଓ ଗୋଷ୍ଠୀ ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମନ ମୋହିଥିଲେ। ଏଥିସହ ମହିଳା ଓ ଛାତ୍ରଛାତ୍ରୀଙ୍କ ପାଇଁ ମ୍ୟୁଜିକ୍ ଚେୟାର ଭଳି ମନୋରଞ୍ଜନାତ୍ମକ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ପ୍ରତିଯୋଗିତାରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ବିଜେତାମାନଙ୍କୁ ଚୟନ କରାଯାଇଛି। ଆସନ୍ତା ଜୁଲାଇ ୪ ତାରିଖରେ ପାଳିତ ହେବାକୁ ଥିବା ଅନ୍ତର୍ଜାତୀୟ ସମବାୟ ଦିବସ ଅବସରରେ ସେମାନଙ୍କୁ ପୁରସ୍କୃତ କରାଯିବ।ଏହି ରଜ ମହୋତ୍ସବରେ ସମବାୟ ୟୁନିଅନ ପରିଚାଳନା ପରିଷଦର ବରିଷ୍ଠ ସଦସ୍ୟ ରଞ୍ଜନ କୁମାର ଦାସ, ସଦସ୍ୟା ସଂଯୁକ୍ତା ପ୍ରଧାନ, ମାର୍କଫେଡ୍ ଅଧ୍ୟକ୍ଷା କବିତା ମଞ୍ଜରୀ ପରିଡ଼ା, ମହିଳା ବିକାଶ ସମବାୟ ନିଗମ ଅଧ୍ୟକ୍ଷା ସ୍ୱାଧୀନବାଳା ଦାସ, ନିବନ୍ଧକ ସମବାୟ ସମିତି ସମୂହ କାର୍ଯ୍ୟାଳୟର ସମବାୟ ଅଧିକାରୀ ସ୍ୱାତୀବାଳା ମହାପାତ୍ର, ସମ୍ପାଦିକା ସୁନୀତା ପତି, ଉପ-ସମ୍ପାଦକ ଚିନ୍ମୟୀ ଚାରୁଦର୍ଶିନୀ, ଏସ୍.ଡି. ବ୍ରହ୍ମାନନ୍ଦ ପରିଡ଼ା, ସମ୍ପାଦକ ଧର୍ମେନ୍ଦ୍ର କୁମାର ସାବତ ଓ ଅନ୍ୟାନ୍ୟ କର୍ମକର୍ତ୍ତା ଓ କର୍ମଚାରୀମାନେ ଉପସ୍ଥିତ ଥିଲେ। ବିଭିନ୍ନ ସମବାୟ ଅନୁଷ୍ଠାନର ମହିଳା କର୍ମଚାରୀ ଏବଂ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ସକ୍ରିୟ ଅଂଶଗ୍ରହଣ କାର୍ଯ୍ୟକ୍ରମକୁ ଅଧିକ ଆକର୍ଷଣୀୟ କରିଥିଲା।
