ନୂଆଦିଲ୍ଲୀ: କୌଣସି ସାମାଜିକ ଉତ୍ସବ ପାଇଁ କିମ୍ବା ଛୁଟି ବିତାଇବା ଲାଗି ଯାତ୍ରା କରିବାକୁ ଯିବା କଥା ଉଠିଲେ ପ୍ରଥମେ ଘରର ସୁରକ୍ଷା ଚିନ୍ତା ଲୋକଙ୍କ ମନକୁ ଆସିଥାଏ। ଏଭଳିକ୍ଷେତ୍ରରେ ଉତ୍ତରପ୍ରଦେଶ ଗୋରଖପୁର ପୋଲିସ ଏହି ସମସ୍ୟାର ସମାଧାନ ଲାଗି ଏବେ ଏକ ଅଭିଯାନ ଆରମ୍ଭ କରିଛି। ସେ ଅନୁସାରେ, ଚୋରି ରୋକିବା ଲାଗି ଖାଲି ପଡ଼ିଥିବା ଘର ଉପରେ ଏବେ ପୋଲିସ ସ୍ଵତନ୍ତ୍ର ଭାବେ ନଜର ରଖିବ। ଲୋକଙ୍କୁ କେବଳ ଘର ବନ୍ଦ କରି ବାହାରକୁ ଯିବା ପୂର୍ବରୁ ନିକଟସ୍ଥ ଥାନାରେ ସେ ସମ୍ପର୍କରେ ସୂଚନା ଦେବାକୁ ହେବ। ଏସପି ନିର୍ମିତ ପରିଲ କହିଛନ୍ତି, ସାଧାରଣତଃ ଖାଲି ପଡ଼ିଥିବା ଘରକୁ ଚୋର ଟାର୍ଗେଟ୍ କରିଥାନ୍ତି। ଦୀର୍ଘ ସମୟ ଧରି ନଜର ରଖିବା ପରେ ସୁଯୋଗ ଦେଖି ସୁନା, ରୂପା ଗହଣା, ମୂଲ୍ୟବାନ ଜିନିଷ ଉଠାଇ ନେଇଥାନ୍ତି। ବିଗତ କିଛି ଦିନ ମଧ୍ୟରେ ସହରରେ ଘଟିଥିବା ଅନେକ ଚୋରି ଘଟଣାର ପଛରୁ ଏହି ପାର୍ଟନ ସାମ୍ନାକୁ ଆସିଛି। ସେହି ସମସ୍ୟାକୁ ଗମ୍ଭୀରତାର ସହ ଗ୍ରହଣ କରାଯାଇ ସମାଧାନ ଲାଗି ଜୁନ୍-୧୬ ଏହି ଅଭିନବ ଅଭିଯାନ ଆରମ୍ଭ କରାଯାଇଛି। ଏଥିଲାଗି ପୋଲିସ ଟିମ୍ ସହରର ବିଭିନ୍ନ ଅଞ୍ଚଳରେ ଅଟୋ ଏବଂ ଇ-ରିକ୍ସାରେ ବୁଲି ବୁଲି ଲାଉଡସ୍ପିକର ମାଧ୍ୟମରେ ଲୋକଙ୍କୁ ସଚେତନ କରୁଛି। ଏଥିସହ ଆଲାର୍ମ ହ୍ଵାଟସଆପ୍ ଗ୍ରୁପ୍ ଏବଂ ଅନ୍ୟ ଡିଜିଟାଲ ମାଧ୍ୟମ ଦ୍ଵାରା ଘର ଛାଡ଼ିବା ପୂର୍ବରୁ ଥାନାକୁ ସେଥିନେଇ ସୂଚନା ଦେବାକୁ ଲୋକଙ୍କୁ ନିବେଦନ କରାଯାଇଛି। ପାଟ୍ରୋଲିଂ ଟିମ୍ ନିୟମିତ ଭାବେ ସେହି ଘର ଉପରେ ନଜର ରଖିବେ। ଏହାପରେ କୌଣସି ସନ୍ଦିଗ୍ଧ ଗତିବିଧି ନଜର ଆସିଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବ ବୋଲି ସେ କହିଛନ୍ତି।
