ବ୍ରହ୍ମପୁର: ଦାମୀ ଇଞ୍ଜେକ୍ସନ ହେରଫେର ଘଟଣାରେ ଏମକେସିଜି ମେଡିକାଲ ଷ୍ଟୋରରେ କାର୍ଯ୍ୟାନୁଷ୍ଠାନ । ମେଡିକାଲ ଷ୍ଟୋର ପରିଚାଳନା ଦାୟିତ୍ୱରୁ ଷ୍ଟୋର ମେଡିକାଲ ଅଫିସର (SMO) କୁ ହଟାଯାଇଛି । ସମ୍ପୃକ୍ତ ଫାର୍ମାସି ଅଫିସରଙ୍କୁ ମଧ୍ୟ ଷ୍ଟୋର ଦାୟିତ୍ୱରୁ ହଟାଯିବାକୁ ନିଷ୍ପତ୍ତି ହୋଇଛି । କାର୍ଯ୍ୟରେ ଅବହେଳା ଅଭିଯୋଗରେ ଆଉଟସୋର୍ସିଂ ଆଟେଣ୍ଡାଣ୍ଟଙ୍କୁ ବହିଷ୍କୃତ କରାଯିବ ବୋଲି ମଧ୍ୟ ନିଷ୍ପତ୍ତି ହୋଇଛି । ଏହାସହ ନଷ୍ଟ ହୋଇଥିବା ଇଞ୍ଜେକ୍ସନର ମୂଲ୍ୟ ସମ୍ପୃକ୍ତ ଫାର୍ମାସିଷ୍ଟ ଓ ନର୍ସିଂ ଅଫିସରଙ୍କ ଠାରୁ ଆଦାୟ କରାଯିବ । ଘଟଣାର ଅଧିକ ତଦନ୍ତ ପାଇଁ ଗଠିତ କମିଟି ଉଭୟ ଫାର୍ମାସିଷ୍ଟ ଓ ନର୍ସିଂ ଅଫିସ ବିରୋଧରେ ବିଭାଗୀୟ ତଦନ୍ତ ସୁପାରିସ କରିଛି । ଏପ୍ରିଲ ମାସରେ ଷ୍ଟୋର ଡଷ୍ଟବିନରୁ ୨୧ଟି ଇନ୍ସୁଲିନ୍ ଗ୍ଲାର୍ଜିନ୍ ଇଞ୍ଜେକ୍ସନ ମିଳିଥିଲା। ପ୍ରତିକୂଳ ତାପମାତ୍ରାରେ ରଖାଯାଇଥିବାରୁ ସମସ୍ତ ଇଞ୍ଜେକ୍ସନ ନଷ୍ଟ ହୋଇଥିବା ତଦନ୍ତରେ ଜଣାପଡ଼ିଛି । ଗୋଟିଏ ଇଞ୍ଜେକ୍ସନର ମୂଲ୍ୟ ୮୬୯ ଟଙ୍କା ଥିଲା । ଘଟଣାକୁ ଗୁରୁତ୍ୱର ସହ ନେଇ ଜିଲ୍ଲାପାଳ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ରେଜିଷ୍ଟ୍ରାରଙ୍କ ନେତୃତ୍ୱରେ ଗଠିତ ୪ ଜଣିଆ କମିଟି ସମ୍ପୂର୍ଣ୍ଣ ଘଟଣାର ଯାଞ୍ଚ କରି ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନର ସୁପାରିସ କରିଛି।
