କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଚମ୍ପୁଆ ବ୍ଲକର ପୂର୍ବତନ ଡେଭେଲପମେଣ୍ଟ କ୍ଲର୍କ-କମ୍-ଷ୍ଟୋର ଇନ୍ଚାର୍ଜ ଗଣେଶ୍ୱର ଗିରିଙ୍କୁ ଦୁର୍ନୀତି ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି ସ୍ୱତନ୍ତ୍ର ଭିଜିଲାନ୍ସ ଅଦାଲତ। ଆଜି କେନ୍ଦୁଝର ସ୍ୱତନ୍ତ୍ର ଭିଜିଲାନ୍ସ ବିଚାରପତି ଗଣେଶ୍ୱର ଗିରିଙ୍କୁ ୨ ବର୍ଷର ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି। ଦୁର୍ନୀତି ନିବାରଣ ଆଇନ, ୧୯୮୮ର ବିଭିନ୍ନ ଧାରା ସହ ଭାରତୀୟ ଦଣ୍ଡ ସଂହିତା (IPC)ର ୪୦୯, ୪୬୮ ଓ ୪୭୧ ଧାରାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ତଦନ୍ତରୁ ଜଣାପଡ଼ିଥିଲା ଯେ, ୨୦୦୭-୦୮ରୁ ୨୦୧୦-୧୧ ମଧ୍ୟରେ ଚମ୍ପୁଆ ବ୍ଲକରେ କାର୍ଯ୍ୟରତ ଥିବା ସମୟରେ ଗଣେଶ୍ୱର ଗିରି ସିମେଣ୍ଟ ଷ୍ଟକ୍ ରେଜିଷ୍ଟରରେ ଚକ୍ରାନ୍ତ କରି ସରକାରୀ ଅର୍ଥର ଆତ୍ମସାତ କରିଥିଲେ। ଷ୍ଟକ୍ ରେକର୍ଡ ଏବଂ ଆର୍ଥିକ କାରବାରରେ ବ୍ୟାପକ ଅନିୟମିତତା ସାମ୍ନାକୁ ଆସିବା ପରେ ଭିଜିଲାନ୍ସ ମାମଲା ରୁଜୁ କରି ଚାର୍ଜସିଟ୍ ଦାଖଲ କରିଥିଲା। ଦୀର୍ଘ ସମୟ ତଦନ୍ତ ଓ ବିଚାର ପରେ ଅଦାଲତ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ଜେଲ୍ ଦଣ୍ଡ ଶୁଣାଇଛନ୍ତି। ଏହାସହ ଗଣେଶ୍ୱର ଗିରିଙ୍କ ପେନ୍ସନ ସୁବିଧା ବନ୍ଦ କରିବା ପାଇଁ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ନିକଟରେ ଆବଶ୍ୟକ ପଦକ୍ଷେପ ନିଆଯିବ।
