ଭୁବନେଶ୍ୱର: ଓଡ଼ିଶାର ସମବାୟ ରାଜନୀତିରେ ଏକ ବଡ଼ ଧରଣର ପରିବର୍ତ୍ତନର ସଙ୍କେତ ମିଳୁଥିବା ନେଇ ଏବେ ଜୋରଦାର ଚର୍ଚ୍ଚା ଚାଲିଛି। ସମବାୟ କ୍ଷେତ୍ର ସହ ଜଡ଼ିତ ବହୁ ବରିଷ୍ଠ ନେତା ଓ କର୍ମକର୍ତ୍ତା ଖୁବ ଶୀଘ୍ର ବିଜୁ ଜନତା ଦଳରେ ଯୋଗ ଦେଇପାରନ୍ତି ବୋଲି ବିଭିନ୍ନ ମହଳ ରେ ଆଲୋଚନା ହେଉଛି।ଗତ କିଛି ଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେପି ପକ୍ଷରୁ ସମବାୟ କ୍ଷେତ୍ରର ଅନେକ ନେତାଙ୍କୁ ନେଇ ଏକ ବୃହତ୍ ମିଶ୍ରଣ ପର୍ବ ଆୟୋଜିତ ହୋଇଥିଲା। ସେତେବେଳେ ଏହାକୁ ସମବାୟ ରାଜନୀତିରେ ଏକ ବଡ଼ ସଫଳତା ବୋଲି ପ୍ରଚାର କରାଯାଇଥିଲା। କିନ୍ତୁ ବର୍ତ୍ତମାନ ସମବାୟ ମହଳ ରେ ସମ୍ପୂର୍ଣ୍ଣ ଭିନ୍ନ ଚର୍ଚ୍ଚା ଆରମ୍ଭ ହୋଇଛି। ସୂତ୍ର ଅନୁଯାୟୀ, ସେହି ମିଶ୍ରଣ ପର୍ବରେ ସାମିଲ ହୋଇଥିବା ଅଧିକାଂଶ ସମବାୟ ନେତା ଅସନ୍ତୁଷ୍ଟ ଥିବା କୁହାଯାଉଛି। ପ୍ରାୟ ଦଶ ଜଣଙ୍କୁ ଛାଡ଼ି ଅନ୍ୟମାନେ ପୁଣି ନିଜ ପୂର୍ବ ରାଜନୈତିକ ଶିବିରକୁ ଫେରି ପାରନ୍ତି ବୋଲି ଆଲୋଚନା ଜୋର ଧରିଛି।
ସମବାୟ କ୍ଷେତ୍ରର ଅନେକ ଅଭିଜ୍ଞ ବ୍ୟକ୍ତିଙ୍କ ମତରେ, ଆଜି ସମବାୟ ବ୍ୟବସ୍ଥା ତାହାର ମୂଳ ଉଦ୍ଦେଶ୍ୟରୁ ଧୀରେ ଧୀରେ ବିଚ୍ୟୁତ ହେଉଛି। ସମବାୟ ଆନ୍ଦୋଳନର ମୂଳମନ୍ତ୍ର ହେଉଛି ଗଣତନ୍ତ୍ର, ସ୍ୱଚ୍ଛତା ଓ ସଦସ୍ୟଙ୍କ ଭାଗୀଦାରି। କିନ୍ତୁ ବର୍ତ୍ତମାନ ବିଭିନ୍ନ ସ୍ତରରେ ଏହି ମୂଲ୍ୟବୋଧ ଦୁର୍ବଳ ହେଉଥିବା ନେଇ ଚିନ୍ତା ପ୍ରକାଶ ପାଉଛି।ଏହାକୁ ନେଇ ସମବାୟ ମହଲ ରେ ଏପରି ମଧ୍ୟ ଚର୍ଚ୍ଚା ହେଉଛି ଯେ, କିଛି ପ୍ରଭାବଶାଳୀ ଅଣ-ସରକାରୀ ବ୍ୟକ୍ତିଙ୍କ ହସ୍ତକ୍ଷେପ ଯୋଗୁଁ ବିଭାଗର କାର୍ଯ୍ୟ ପ୍ରଣାଳୀ ପ୍ରଭାବିତ ହେଉଛି। ଯଦି ଏହି ଧାରଣା ସତ୍ୟ ହୁଏ, ତେବେ ଏହା ସମବାୟ ବ୍ୟବସ୍ଥା ପାଇଁ ଚିନ୍ତାର ବିଷୟ। ଏହି କାରଣରୁ ସମବାୟ ଆଇନର କଠୋର ପାଳନ, ସ୍ୱଚ୍ଛ ପ୍ରଶାସନ ଏବଂ ସଦସ୍ୟମାନଙ୍କ ବିଶ୍ୱାସ ପୁନଃସ୍ଥାପନ ପାଇଁ ଦୃଢ଼ ପଦକ୍ଷେପ ନେବାର ଦାବି ଉଠୁଛି।ରାଜନୈତିକ ବିଶ୍ଳେଷକ ଙ୍କ ମତରେ, ଯଦି ବର୍ତ୍ତମାନର ଚର୍ଚ୍ଚା ବାସ୍ତବ ରୂପ ନିଏ, ତେବେ ଏହା କେବଳ ସମବାୟ କ୍ଷେତ୍ରରେ ନୁହେଁ, ରାଜ୍ୟର ରାଜନୀତିରେ ମଧ୍ୟ ଏକ ନୂଆ ସମୀକରଣ ସୃଷ୍ଟି କରିପାରେ। ଏବେ ସମସ୍ତଙ୍କ ନଜର ଆଗାମୀ ଦିନର ରାଜନୈତିକ ଘଟଣା କ୍ରମ ଉପରେ ରହିଛି। ସମବାୟ କ୍ଷେତ୍ରରେ ପ୍ରକୃତରେ ଏକ ନୂଆ ଅଧ୍ୟାୟର ଆରମ୍ଭ ହେବ କି, ନା ଏହା କେବଳ ରାଜନୈତିକ ଚର୍ଚ୍ଚାରେ ସୀମିତ ରହିବ—ତାହା ଆଗାମୀ ଦିନରେ ସ୍ପଷ୍ଟ ହେବ l
