କେନ୍ଦୁଝର: କେନ୍ଦୁଝରରେ ଦୁଇ ଦିନ ଧରି ଲଗାଣ ବର୍ଷାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିବା ବେଳେ ରାସ୍ତାଘାଟ, ଘରଦ୍ୱାର- ସବୁ ଆଡ଼େ ପାଣି ଜମି ରହିଥିଲା। କାଲିଠାରୁ ସହରର ବିଭିନ୍ନ ସ୍ଥାନରେ କେନ୍ଦୁଝରଗଡ଼ ପୌରପାଳିକା ଓ ଅଗ୍ନିଶମ ବାହିନୀର ଦଶଟି ଟିମ୍ ଜଳ ନିଷ୍କାସନ କାର୍ଯ୍ୟରେ ଲାଗିଥିଲେ। ଆଜି ସକାଳେ ଟାଉନ ଥାନା ସରକାରୀ ବାଳିକା ବିଦ୍ୟାଳୟ ସମ୍ମୁଖ ପୁଲିସ କ୍ଲବ୍ ଓ ତା’ ପାଖରେ ଥିବା ଘରଗୁଡ଼ିକରୁ ଜଳ ନିଷ୍କାସନ ପାଇଁ ପହଞ୍ଚିଥିଲା ଅଗ୍ନିଶମ ବାହିନୀର ଦୁଇଟି ଟିମ୍। ଗୋଟିଏ ଟିମ୍ ପୁଲିସ କ୍ଲବ୍ରେ ଜଳ ନିଷ୍କାସନ କରୁଥିବା ବେଳେ ଅନ୍ୟ ଟିମ୍ଟି ନିକଟରେ ଥିବା ଘରୁ ପାଣି ନିଷ୍କାସନ କରୁଥିଲେ। ଘର ମାଲିକ ଲୁଗା ଶୁଖାଇବା ପାଇଁ ଅଗଣାରେ ଏକ ଜିଆଇ ତାର ବାନ୍ଧିଥିଲେ। କୌଣସି କାରଣରୁ ସେହି ତାରଟିରେ ବିଜୁଳି ସଂଯୋଗ ହୋଇଯାଇଥିଲା। କିନ୍ତୁ ଅଗ୍ନିଶମ ବାହିନୀର ଚନ୍ଦନ ପଟ୍ଟନାୟକ କି ଅନ୍ୟମାନେ ସେ ସଂପର୍କରେ ଅବଗତ ନଥିଲେ। ଜଳ ନିଷ୍କାସନ କାର୍ଯ୍ୟ ଚାଲିଥିବା ବେଳେ ଓ ଚନ୍ଦନ ପାଣି ଭିତରେ ଥିବା ବେଳେ ସେହି ଜିଆଇ ତାରକୁ ସ୍ପର୍ଶ କରି ଦେଇଥିଲେ। କେହି କିଛି ବୁଝିବା ପୂର୍ବରୁ ସେ ତଳେ ପଡ଼ି ଯାଇଥିଲେ। ବିଦ୍ୟୁତ୍ ଆଘାତରେ ସେ ପଡ଼ିଯାଇଥିବା ତାଙ୍କ ସହକର୍ମୀମାନେ ଜାଣିପାରିଥିଲେ। ସେମାନେ ସଙ୍ଗେ ସଙ୍ଗେ ଏକ ପ୍ଲାଷ୍ଟିକ ପାଇପ୍ ସାହାଯ୍ୟରେ ଉକ୍ତ ତାରକୁ ଛିଣ୍ଡାଇବା ସହିତ ଚନ୍ଦନଙ୍କୁ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଅଗ୍ନିଶମ କର୍ମଚାରୀ ଚନ୍ଦନ ପଟ୍ଟନାୟକଙ୍କ ମୃତ୍ୟୁରେ ମୁଖ୍ୟମନ୍ତ୍ରୀଙ୍କ ଦୁଃଖପ୍ରକାଶ କରିଛନ୍ତି।
