ଜୟପୁର: କୋରାପୁଟ ଜିଲ୍ଲା ଜୟପୁରର ବାରର୍ଣିପୁଟ ଯୋଜନା ଉଚ୍ଚ ବିଦ୍ୟାଳୟ ବାହାରେ ଜଣେ ଅଣ ଛାତ୍ରଙ୍କ ଛୁରା ମାଡ଼ରେ ବିଦ୍ୟାଳୟର ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ହେଲେ ମୂରଲୀ ବାଗଙ୍କ ପୁଅ ମହେଶ ବାଗ । ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପର୍ଶୁରାମ ସେଠିଙ୍କ କହିବା ଅନୁସାରେ, ମଧ୍ୟାହ୍ନ ଭୋଜନ ସମୟ ଛୁଟି ବେଳେ ଛାତ୍ର ଜଣକ ବାହାରକୁ ଯିବା ବେଳେ ଛୁରା ମାଡ଼ ହୋଇଛି । ଜଣେ ଅଣଛାତ୍ରଙ୍କ ସହିତ ତାର କୌଣସି କାରଣକୁ ନେଇ ବଚସା ହୋଇଥିଲା । ଏହା ଉପରେ ଅଣଛାତ୍ର ଜଣକ ତାକୁ ଛୁରା ମାଡ଼ କରି ଫେରାର ହୋଇଯାଇଥିଲେ । ଗୁରୁତର ଅବସ୍ଥାରେ ତାକୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ଚିକିତ୍ସାଧୀନ ଅବସ୍ଥାରେ ପ୍ରାଣ ହରାଇଛି । ଏ ନେଇ ପୋଲିସକୁ ସୂଚନା ଦିଆଯାଇଛି । ଛୁରା ମାଡ଼ କରିଥିବା ପିଲା ବିଦ୍ୟାଳୟର ନୁହଁନ୍ତି ଏବଂ ଏହି ଘଟଣା ବିଦ୍ୟାଳୟ ପରିସର ବାହାରେ ଘଟିଥିବା ପ୍ରଧାନ ଶିକ୍ଷକ ସ୍ପଷ୍ଟ କରିଛନ୍ତି । ଦୋଷୀକୁ ତୁରନ୍ତ ଗିରଫ କରିବାକୁ ପରିବାର ଓ ସମ୍ପର୍କୀୟମାନେ ଦାବି କରିଛନ୍ତି |
