ସୁବର୍ଣ୍ଣପୁର: ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭୁଲ ଇଞ୍ଜେକ୍ସନ ଓ ଚିକିତ୍ସା ଅବହେଳା ଯୋଗୁଁ ରୋଗୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରି ପରିବାର ଲୋକେ ଡାକ୍ତରଖାନାରେ ହଙ୍ଗାମା କରିଥିଲେ। ସୂଚନା ଅନୁଯାୟୀ, ସୁବର୍ଣ୍ଣପୁର ଜିଲ୍ଲା ପାଣିସିଆଲି ଗାଁର ପ୍ରଶାନ୍ତ ତ୍ରିପାଠୀ ଅସୁସ୍ଥ ହୋଇପଡ଼ିବାରୁ ତାଙ୍କୁ ସୋନପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ପରିବାର ଲୋକେ ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନ ଓ ଅବହେଳାପୂର୍ଣ୍ଣ ଚିକିତ୍ସାକୁ ଦାୟୀ କରି ତୀବ୍ର ପ୍ରତିବାଦ କରିଥିଲେ। ଡାକ୍ତରଖାନା ପରିସରରେ ଦୀର୍ଘ ସମୟ ଧରି ଉତ୍ତେଜନା ଲାଗି ରହିଥିଲା। ମୃତକଙ୍କ ସମ୍ପର୍କୀୟଙ୍କ ଆକ୍ରମଣରେ ଜଣେ ଡାକ୍ତର ଆହତ ହୋଇଥିବା ଅଭିଯୋଗ କରି ଡାକ୍ତରଖାନା ପକ୍ଷରୁ ସୋନପୁର ଥାନାରେ ଏତଲା ଦାଖଲ କରାଯାଇଛି ବୋଲି ଏଡିଏମଓ ସୂଚନା ଦେଇଛନ୍ତି। ମୃତଦେହର ପୋଷ୍ଟମର୍ଟମ ସମ୍ବଲପୁରରେ କରିବାକୁ ଡାକ୍ତରଖାନା କର୍ତ୍ତୃପକ୍ଷ ପରାମର୍ଶ ଦେଇଥିବାରୁ ପରିବାର ଲୋକଙ୍କ ଅସନ୍ତୋଷ ଆହୁରି ବଢ଼ିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିଥିବା ବେଳେ ଘଟଣାର ତଦନ୍ତ ଜାରି ରହିଛି।
