ନୂଆଦିଲ୍ଲୀ:ଥାର୍ଡ ପାର୍ଟି ବୀମା ନ ଥାଇ ଚାଲୁଥିବା ଗାଡ଼ିକୁ ପେଟ୍ରୋଲ ପମ୍ପରେ ତେଲ ଦିଆ ନଯାଉ ବୋଲି କହିଛନ୍ତି ସୁୁପ୍ରିମକୋର୍ଟ lବିଚାରପତି ସଞ୍ଜୟ କରୋଲ ଓ ବିଚାରପତି ପ୍ରଶାନ୍ତ କୁମାର ମିଶ୍ରଙ୍କ ଖଣ୍ଡପୀଠ କହିଛନ୍ତି, ଦେଶରେ ବ୍ୟାପକ ସଂଖ୍ୟାରେ ଗାଡ଼ି ବିନା ଇନସ୍ୟୁରାନ୍ସରେ ରାସ୍ତାରେ ଚାଲୁଛି। ଏହି କାରଣରୁ ସଡ଼କ ଦୁର୍ଘଟଣାରେ ପୀଡ଼ିତଙ୍କୁ ଉଚିତ୍ ସମୟରେ କ୍ଷତିପୂରଣ ମିଳି ପାରୁ ନାହିଁ।ଏହାକୁ ନେଇ କେନ୍ଦ୍ର ସରକାର ଏକ ପାଇଲଟ୍ ପ୍ରୋଜେକ୍ଟ ଆରମ୍ଭ କରନ୍ତୁ।ଅଦାଲତ ବୀମା ନିୟାମକ IRDAI ଏବଂ ସଡ଼କ ପରିବହନ ଏବଂ ରାଜମାର୍ଗ ମନ୍ତ୍ରଣାଳୟକୁ ମିଳିତ ଭାବେ ଏମିତି ବ୍ୟବସ୍ଥା ପ୍ରସ୍ତୁତ କରିବାକୁ କହିଛନ୍ତି, ଯେଉଁଥିରେ ଗାଡ଼ିର ବୀମା ଅଛି କି ନାହିଁ ଯାଞ୍ଚ ପରେ ହିଁ ଟାଙ୍କିରେ ତେଲ ଦିଆଯିବ। ଏଥିପାଇଁ ଅଟୋମେଟିକ ନମ୍ବର ପ୍ଲେଟ୍ ରିକଗ୍ନିଶନ(ANPR) କ୍ୟାମେରାର ଉପଯୋଗ କରିବା ପ୍ରସ୍ତାବ ଦିଆଯାଇଛି। ସୁପ୍ରିମକୋର୍ଟ ନିଜ ଆଦେଶରେ କହିଛନ୍ତି, ସଂସଦର ଆର୍ଥିକ ସଂପର୍କିତ ସ୍ଥାୟୀ କମିଟିର ୨୦୨୪-୨୫ର ରିପୋର୍ଟ ଅନୁସାରେ ଦେଶରେ ପ୍ରାୟ ୫୬ ପ୍ରତିଶତ ଗାଡ଼ି ବିନା ଇନସ୍ୟୁରାନ୍ସରେ ଚାଲୁଛି। ଏହି ସଂଖ୍ୟା ପ୍ରାୟ ୧୬.୫୪ କୋଟି ଥିବା ବେଳେ ମୋଟ୍ ପଞ୍ଜିକୃତ ଗାଡ଼ି ସଂଖ୍ୟା ହେଉଛି ୩୦.୪୮ କୋଟି।ସୁପ୍ରିମକୋର୍ଟ କହିଛନ୍ତି, ମୋଟର ବାହାନ ଅଧିନିୟମର ଧାରା ୧୪୬ ଆଧାରରେ ଗାଡ଼ି ପାଇଁ ଥାର୍ଡ ପାର୍ଟି ବୀମା ଅତି ଆବଶ୍ୟକ। ମାତ୍ର ଏହାର ସଠିକ ଢଙ୍ଗରେ ପାଳନ ହେଉ ନାହିଁ। ଯଦି ବିନା ବୀମା ଥିବା ଗାଡ଼ିଗୁଡ଼ିକୁ ପେଟ୍ରୋଲ ପମ୍ପରେ ତେଲ ମିଳିବନି ତେବେ ଏମିତି ଗାଡ଼ିର ଚିହ୍ନଟ ସହଜରେ ହୋଇ ପାରିବ ଏବଂ ଗାଡ଼ି ମାଲିକ ମଧ୍ୟ ଠିକ୍ ସମୟରେ ବୀମା କରିବା ପାଇଁ ପ୍ରେରିତ ହେବେ। ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ମଧ୍ୟ ଏହି ପ୍ରସ୍ତାବ ଉପରେ କୌଣସି ଆପତ୍ତି ପ୍ରକାଶ କରି ନାହିଁ ବୋଲି କହିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ ।
