କଟକ: ରେଭେନ୍ସା ବିଶ୍ଵବିଦ୍ୟାଳୟରେ ରାଜନେତାଙ୍କ ମାତ୍ରାଧିକ ହସ୍ତକ୍ଷେପ ଅଭିଯୋଗ । ପ୍ରତ୍ୟେକ କ୍ଷେତ୍ରରେ ରାଜନେତା ଚାପ ପକାଉଛନ୍ତି ବୋଲି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ବିଶ୍ଵବିଦ୍ୟାଳୟ ଅଧ୍ୟାପକ ସଙ୍ଘର ଅଧକ୍ଷା ଡ଼ଃ ଉର୍ମିସ ବେଦମତା । ବିଶ୍ଵବିଦ୍ୟାଳୟରେ ରାଜନେତାଙ୍କ ମାତ୍ରାଧିକ ହସ୍ତକ୍ଷେପ ଯୋଗୁଁ ବିଶ୍ଵବିଦ୍ୟାଳୟର ଶୈକ୍ଷିକ ବାତାବରଣ ଉପରେ ପ୍ରଭାବ ପଡୁଛି ବୋଲି ଅଧ୍ୟାପିକା ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ବିଶ୍ଵବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ନାମଲେଖାଠାରୁ ଆରମ୍ଭ କରି ହଷ୍ଟେଲ ମିିିଳିବା ପର୍ଯ୍ୟନ୍ତ ରାଜନେତାମାନେ ଅଧ୍ୟାପକମାନଙ୍କ ଉପରେ ଚାପ ପକାଉଥିବା ଅଭିଯୋଗ ହୋଇଛି । ତେଵେ ବିଶ୍ଵବିଦ୍ୟାଳୟର ଯେଉଁ ବ୍ୟବସ୍ଥା ରହିଛି, ଆଇନ ଭିତରେ ରହି ରାଜନେତାମାନେ ହସ୍ତକ୍ଷେପ କରିବାକୁ ଅଧ୍ୟାପକ ସଙ୍ଘ ଦାବି କରିଛି । ସୂଚନା ଥାଉ ଯେ, ଗତ ଦୁଇ ଦିନ ପୂର୍ବେ ରେଭେନ୍ସା ବିଶ୍ଵବିଦ୍ୟାଳୟ କ୍ୟାମ୍ପସ ମଧ୍ୟରେ ଇଷ୍ଟ ହଷ୍ଟେଲ ଅନ୍ତେବାସୀମାନଙ୍କ ଆନ୍ଦୋଳନରେ କଟକ ସଦର ବିଧାୟକ ପ୍ରକାଶ ସେଠୀ ଆସି ମୁଖ୍ୟ ୱାର୍ଡେନଙ୍କୁ ଅଶାଳୀନ ବ୍ୟବହାର କରିଥିଲେ । ଯାହାକୁ ବିଶ୍ଵବିଦ୍ୟାଳୟର ଅଧ୍ୟାପକ ସଙ୍ଘ ବିରୋଧ କରିବା ସହ କ୍ୟାମ୍ପସ ମଧ୍ୟରେ ଶୋଭାଯାତ୍ରା କରିଥିଲେ । ବିଧାୟକ କ୍ଷମା ମାଗିବା ସହ କୌଣସି ରାଜନେତା ଯେପରି ଅନାବଶ୍ୟକ ହସ୍ତକ୍ଷେପ ନକରନ୍ତି, ସେନେଇ ଏକ ଦାବିପତ୍ର କୁଳପତିଙ୍କୁ ପ୍ରଦାନ କରିଛି ଅଧ୍ୟାପକ ସଙ୍ଘ । ସେତିକି ନୁହେଁ, ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀମାନେ ମଧ୍ୟ ଏପରି ଘଟଣାକୁ ନିନ୍ଦା କରିଛନ୍ତି । ବିଧାୟକ ଯଦି କ୍ଷମା ନମାଗନ୍ତି ସାରା ରାଜ୍ୟରେ ଛାତ୍ରଛାତ୍ରୀମାନେ ପ୍ରତିବାଦ କରିବେ ବୋଲି ଚେତାବନୀ ଦେଇଛନ୍ତି ଛାତ୍ରଛାତ୍ରୀ । ଅନ୍ତେବାସୀଙ୍କର ସମସ୍ୟା ବିଶ୍ଵବିଦ୍ୟାଳୟର କର୍ତ୍ତୃପକ୍ଷ ହିଁ ସମାଧାନ କରି ପାରିବେ । ବିଧାୟକ ରାଜନୀତି କରିବାକୁ ଆସିଥିଲେ କି ବୋଲି ଛାତ୍ରୀ ଶ୍ଵେତା ଦାସ ପ୍ରଶ୍ନ କରିଛନ୍ତି । ଜଣେ ପ୍ରଫେସରଙ୍କୁ ଏପରି ଦୁର୍ବ୍ୟବହାର କରିବା ପାଇଁ ବିଧ୍ୟାୟକଙ୍କର କୌଣସି ଅଧିକାର ନାହିଁ । ତେଣୁ ବିଧ୍ୟାୟକ କ୍ଷମା ମାଗନ୍ତୁ ବୋଲି ଛାତ୍ରୀ କହିଛନ୍ତି ।
