ବ୍ରହ୍ମପୁର: ଓଡ଼ିଶା ଉଚ୍ଚ ନ୍ୟାୟାଳୟରୁ ମିଳିଥିବା ଜାମିନ ବଳରେ ଜେଲରୁ ବାହାରିଛନ୍ତି ବ୍ରହ୍ମପୁରର ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ବିଜେଡିର ସଭାପତି ବିକ୍ରମ କୁମାର ପଣ୍ଡା । ବିକ୍ରମଙ୍କୁ ପାଛୋଟି ନେବା ପାଇଁ ତାଙ୍କ ସମର୍ଥକଙ୍କ ସମେତ ଦଳର ବହୁ କର୍ମୀ ଏବଂ ନେତୃବୃନ୍ଦ ଫାଟକ ସମ୍ମୁଖରେ ଅପେକ୍ଷା କରିଥିଲେ । ଜେଲରୁ ବାହାରିବା ପରେ ତାଙ୍କୁ ଶୋଭାଯାତ୍ରାରେ ତାଙ୍କ ବାସ ଭବନକୁ ନିଆଯାଇଛି ।ସୋମବାର ଓଡ଼ିଶା ହାଇକୋର୍ଟ ପକ୍ଷରୁ ଆଇନଜୀବୀ ପିତବାସ ପଣ୍ତା ହତ୍ୟା ଘଟଣାରେ ବିକ୍ରମ ପଣ୍ଡାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିଲେ ।ବ୍ରହ୍ମପୁର ମଣ୍ଡଳ କାରାଗାରରୁ ବାହାରିବା ପରେ ଗଣମାଧ୍ୟମ ପ୍ରଶ୍ନରେ ନିଜର ପ୍ରତିକ୍ରିୟାଦେଇ ସେ କହିଛନ୍ତି ମୁଁ ନିର୍ଦ୍ଦୋଷ ଏବଂ ମୋତେ ଷଡ଼ଯନ୍ତ୍ରରେ ଫସାଇ ଦିଆଯାଇଛି । ନ୍ୟାୟିକ ବ୍ୟବସ୍ଥା ଉପରେ ବିଶ୍ଵାସ ରହିଛି ଏବଂ ଆଗକୁ ମଧ୍ୟ ରହିବ lଆଜି ପ୍ରଭୁ ଜଗନ୍ନାଥଙ୍କ କୃପାରୁ ମୋତେ ନ୍ୟାୟ ମିଳିଛି । ମୋର ନ୍ୟାୟପାଳିକା ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ଥିଲା । ସତ୍ୟର ଜୟ ହୋଇଛି । ମୁଁ ପ୍ରଭୁ ଜଗନ୍ନାଥଙ୍କ ପାଖରେ କୃତଜ୍ଞତା ଜଣାଉଛି । ମୋର ଅଗଣିତ ଜନସାଧାରଣ ଏବଂ ଗଞ୍ଜାମବାସୀଙ୍କୁ ଧନ୍ୟବାଦ ଜଣାଉଛି । ସେମାନଙ୍କ ଭଲ ପାଇବା ପାଇଁ ମୋତେ ନ୍ୟାୟ ମିଳିଛି । ସେ ବ୍ରହ୍ମପୁର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଅକ୍ଟୋବର ୨୦୨୫ରେ ଗିରଫ ହୋଇଥିଲେ l
