ଆସାମ: ଆସାମର ଗୁଆହାଟୀଠାରେ ଜଣେ ନିଷ୍ଠୁର ସ୍ୱାମୀ ନିଜ ପତ୍ନୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିବା ପରେ, ତାଙ୍କ ମୁଣ୍ଡ କାଟି ଏକ ପଲିଥିନ୍ ବ୍ୟାଗ୍ରେ ପୂରାଇ ଫ୍ରିଜ୍ରେ ଲୁଚାଇ ରଖିଥିବା ପୋଲିସ ଠାବ କରିଛି। ଏହି ବୀଭତ୍ସ ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ସୂଚନା ଅନୁଯାୟୀ, ଗୁଆହାଟୀର ହାତୀଗାଓଁ ଥାନା ଅନ୍ତର୍ଗତ ବଶିଷ୍ଠପୁର ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟରେ ଏହି ଦମ୍ପତି ଭଡ଼ାରେ ରହୁଥିଲେ। ରିୟାଙ୍କ ସ୍ୱାମୀ ରାମାନୁଜନ ଗୋସ୍ୱାମୀ ପେଶାରେ ଜଣେ କ୍ୟାବ୍ ଡ୍ରାଇଭର। କୌଣସି କାରଣକୁ ନେଇ ରାମାନୁଜନ ନିଜ ପତ୍ନୀଙ୍କୁ ଅତି ନିର୍ଦ୍ଦୟ ଭାବେ ହତ୍ୟା କରିଥିଲା। ପରେ ମୃତଦେହରୁ ମୁଣ୍ଡ ଏବଂ ଆଙ୍ଗୁଠି କାଟି ଅଲଗା କରିଦେଇଥିଲା। କଟା ମୁଣ୍ଡଟିକୁ ଏକ କଳା ପଲିଥିନ୍ରେ ଗୁଡ଼ାଇ ଘରେ ଥିବା ଫ୍ରିଜ୍ ଭିତରେ ଲୁଚାଇ ରଖିଥିଲା। ମୃତ ମହିଳାଙ୍କ ନାମ ରିୟା ତାଲୁକଦାର ଗୋସ୍ୱାମୀ ଏବଂ ତାଙ୍କୁ ୨୫ ବର୍ଷ ବୟସ ହୋଇଥିଲା। ସେ ଏକ ବୁଟିକ୍ରେ କାମ କରୁଥିଲେ। ହତ୍ୟାକାଣ୍ଡର ପ୍ରାୟ ୪୮ ଘଣ୍ଟା ପରେ ଅର୍ଥାତ୍ ରବିବାର ରାତିରେ ଭଡ଼ା ଘରୁ ପ୍ରବଳ ଦୁର୍ଗନ୍ଧ ବାହାରିବାରୁ ପଡ଼ୋଶୀମାନେ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଘରର ଚଟାଣରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରିୟାଙ୍କ ଗଣ୍ଡି ପଡ଼ିଥିଲା ଏବଂ ଫ୍ରିଜ୍ରୁ ତାଙ୍କ କଟାମୁଣ୍ଡ ମିଳିଥିଲା। ପ୍ରାଥମିକ ତଦନ୍ତ ବେଳେ ପୋଲିସ ଘର ଭିତରୁ ହତ୍ୟାକାଣ୍ଡରେ ବ୍ୟବହୃତ ଏକ ଧାରୁଆ ଅସ୍ତ୍ର ଏବଂ କିଛି ମଦ ବୋତଲ ଜବତ କରିଥିଲା। ରିୟା ଏବଂ ରାମାନୁଜନଙ୍କ ବିବାହ ପ୍ରାୟ ୬ ମାସ ପୂର୍ବରୁ ହୋଇଥିଲା ବୋଲି ପୋଲିସ କହିଛି। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ରାମାନୁଜନ ପ୍ରଥମେ ଫେରାର ହୋଇଯାଇଥିଲା। ତେବେ ପୋଲିସର ଖୋଳତାଡ଼ ଜୋରଦାର ହେବା ପରେ, ଆଜି ସେ ହାତୀଗାଓଁ ଥାନାରେ ଆତ୍ମସମର୍ପଣ କରି ନିଜ ଦୋଷ ସ୍ୱୀକାର କରିଛି। ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଗୁଆହାଟୀ ମେଡିକାଲ କଲେଜ ହସ୍ପିଟାଲକୁ (GMCH) ପଠାଯାଇଥିବା ବେଳେ ପୋଲିସ ଏହି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।
