ନୂଆଦିଲ୍ଲୀ: ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବେ ଚର୍ଚ୍ଚାରେ । ଟ୍ରମ୍ପ ତାଙ୍କ Truth Social ଆକାଉଣ୍ଟରେ ଚନ୍ଦ୍ରର ଏକ ଛବି ସହ ଆମେରିକାର ପତାକା ଥିବା ଚିତ୍ର ପୋଷ୍ଟ କରି “The Moon is ours” ଲେଖିଛନ୍ତି। ଏହି ପୋଷ୍ଟ ପରେ ସୋସିଆଲ ମିଡିଆରେ ଟ୍ରମ୍ପଙ୍କ ଦାବିକୁ ନେଇ ବିଭିନ୍ନ ପ୍ରତିକ୍ରିୟା ଆସୁଛି। ଏହି ପୋଷ୍ଟର କିଛି ସମୟ ପୂର୍ବରୁ ଟ୍ରମ୍ପ ଆମେରିକାର Space Force ପାଇଁ ନୂଆ ସର୍ଭିସ୍ ଡ୍ରେସ୍ ୟୁନିଫର୍ମର ଡିଜାଇନ୍ ମଧ୍ୟ ସେୟାର କରିଥିଲେ। ଧୂସର ଓ କଳା ରଙ୍ଗର ଏହି ୟୁନିଫର୍ମରେ ଜ୍ୟାକେଟ୍, ଟ୍ରାଉଜର୍, ବେଲ୍ଟ, ବୁଟ୍ ଓ କ୍ୟାପ୍ ରହିଛି। ଏହି ଡିଜାଇନ୍କୁ “Starship Trooper” ୟୁନିଫର୍ମର ଶୃଙ୍ଖଳା ଓ କାର୍ଯ୍ୟକ୍ଷମତାରୁ ପ୍ରେରିତ କରାଯାଇଥିବା ଏବଂ Space Forceର ‘Guardians of the Space Domain’ ପାଇଁ ଆଧୁନିକ ରୂପ ଦିଆଯାଇଥିବା କୁହାଯାଇଛି। ତେବେ ଟ୍ରମ୍ପଙ୍କ “The Moon is ours” ବୟାନକୁ ଆଇନଗତ ଭାବେ ଚନ୍ଦ୍ର ଉପରେ ଆମେରିକାର ମାଲିକାନା ଦାବି ଭାବେ ଗ୍ରହଣ କରାଯାଇପାରିବ ନାହିଁ। ୧୯୬୭ର Outer Space Treaty ଅନୁଯାୟୀ, ଚନ୍ଦ୍ର ସମେତ ଅନ୍ୟ ମହାକାଶୀୟ ପିଣ୍ଡ ଉପରେ କୌଣସି ଦେଶ ନିଜର ସାର୍ବଭୌମତ୍ୱ ଦାବି କରିପାରିବ ନାହିଁ।
